ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଲଙ୍କାବଣୀ ସ୍ଥିତ ରାପେଲ ଅଞ୍ଚଳରେ ଛାତିଥରା ଘଟଣା । ଚିଙ୍ଗୁଡି ଘେରିରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବିଡମ୍ବନା ଏହା ଯେ ମୃତକମାନେ ସମସ୍ତେ ରାୟଗଡାର ପ୍ରବାସୀ ଶ୍ରମିକ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତକାଲି ମଧ୍ୟରାତ୍ର ସମୟରେ ଶ୍ରିମ୍ପ ପୋଖରୀରେ ଶ୍ରମିକ ମାନେ କାମ କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା । ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକ ମାନେ ଓଡିଶା(ରାୟଗଡା)ର ବୋଲି ଜଣାପଡିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ତେବେ ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ୬ ମୃତକ ଓଡିଶାର । ସେମାନଙ୍କ ମଧ୍ୟରୁ ଗୁଣପୁର ମୋତିଲ ନଗରର ଜାଗ୍ରାଓ ସବଲଙ୍କ ପୁଅ ନବୀନ ସବଲ ଓ ଅନ୍ୟ ଜଣେ ଭିମପୁର ପକାନ ଗମାଙ୍ଗଙ୍କ ପୁଅ ରାମମୂର୍ତ୍ତୀ ଗମାଙ୍ଗ ହୋଇଥିବା ଜଣାପଡିଛି । ତେବେ ଅନ୍ୟ ମୃତକ ହେଉଛନ୍ତି କିରଣ, ମନୋଜ, ପାଣ୍ଡବ,ଏବଂ ମହେନ୍ଦ୍ର ବୋଲି ଜଣାପଡିଛି ।
ସେପଟେ ଘଟଣାକୁ ନେଇ ବିଦ୍ୟୁତ ବିଭାଗ ମଧ୍ୟ ମୁହଁ ଖୋଲିଛି । ସଟସର୍କିଟର କାରଣ ବିଦ୍ୟୁତ ତାର ଛିଣ୍ଡି ହୋଇଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଥିବା ବେଳେ ବିଦ୍ୟୁତ ବିଭାଗ ଏହାକୁ ଖଣ୍ଡନ କରିବା ସହ ଭିନ୍ନ ଯୁକ୍ତି ବାଢୁଛି । ତେବେ ଏହି ଦୁର୍ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳକୁ ଗଣମାଧ୍ୟମକୁ ପ୍ରବେଶ କରିବାକୁ ପୋଲିସ ଅନୁମତି ଦେଉନାହିଁ । ତେବେ ସମସ୍ତ ୬ ମୃତକ ଓଡିଶାର ବୋଲି ସ୍ପଷ୍ଟ ହୋଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ