ଗାନ୍ଧୀନଗର: କଡା ସୁରକ୍ଷା ଓ ପ୍ରଭାବୀ ସମୁଦ୍ର ସୀମା ପାଟ୍ରୋଲିଂ ସୁଦ୍ଧା ମଧ୍ୟ ଭାରତୀୟ ସୀମାରେ ଅନୁପ୍ରବେଶ କରି ନିଶା କାରବାର କରିବାକୁ ପଛାଉ ନାହାନ୍ତି ପାକିସ୍ତାନୀ ନିଶା ବେପାରୀ । ଆଜି ଗୁଜୁରାଟର କଚ୍ଛ ଉପକୂଳ ନିକଟବର୍ତ୍ତୀ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଏକ ପାକିସ୍ତାନୀ ବୋଟକୁ ଜବତ କରିବା 6 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ (Pakistani nationals apprehended by indian force)। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗିରଫ ପାକିସ୍ତାନୀମାନେ ମତ୍ସ୍ୟଜୀବୀ ନୁହଁନ୍ତି ବରଂ ପେଶାଦାର ନିଶା ବେପାରୀ । ଉକ୍ତ ବୋଟରୁ ପ୍ରାୟ 40 କେଜିର ହିରୋଇନ ମଧ୍ୟ ଜବତ କରାଯାଇଛି ।
ପ୍ରାଥମିକ ତଦନ୍ତ ଅନୁସାରେ ଏହି ପରିମାଣର ହେରୋଇନର ଆନୁମାନିକ ମୂଲ୍ୟ ପ୍ରାୟ 200 କୋଟିରୁ ଉର୍ଦ୍ଧ୍ବ ହେବ । ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ 6 ପାକିସ୍ତାନୀ ନାଗରିକଙ୍କୁ ସ୍ଥାନୀୟ ପୋଲିସରେ ଜିମା ଦେଇଛି କୋଷ୍ଟଗାର୍ଡ । ଏହି ବିପୁଳ ପରିମାଣର ଡ୍ରଗ୍ସ ପାକିସ୍ତନର କରାଚୀରୁ ଭାରତକୁ ରପ୍ତାନୀ ହେଉଥିବା ସନ୍ଦେହ କରାଯାଉଛି । ଅଧିକ ଜେରା ଜାରି ରହିଛି ।
କୋଷ୍ଟଗାର୍ଡର ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କଚ୍ଛ ଉପକୂଳରେ କୋଷ୍ଟଗାର୍ଡର ଅତ୍ୟାଧୁନିକ C-408 ପାଟ୍ରୋଲିଂ ଜାହାଜ ମୁତୟନ ରହିଛି । ଏକ ପାକିସ୍ତାନୀ ବୋଟ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ଜଳ ସୀମାରେ ଅନୁପ୍ରବେଶ କରିଥିବା (Pakistani nationals caught in Indian water) ସୂଚନା ମିଳିବା ପରେ ଉକ୍ତ ବୋଟରେ ଥିବା ପାଟ୍ରୋଲିଂ ଟିମ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲା । ଅନୁପ୍ରେବଶ କରିଥିବା ପାକିସ୍ତାନୀ ବୋଟକୁ ଜବତ କରାଯିବା ସହ ସମସ୍ତ ପାକିସ୍ତାନୀଙ୍କୁ ଗିରଫ କରାଯାଇଥିଲା । ପରେ ବୋଟର ତଲାସି ବେଳେ ଏହି ବିପୁଳ ପରିମାଣର ହେରୋଇନ ଥିବା ଜାଣିବାକୁ ପାଇଥିଲା ପାଟ୍ରୋଲିଂ ଟିମ ।
ସମସ୍ତ ଅଭିଯୁକ୍ତଙ୍କୁ ଜେରା ରହିଛି । ଭାରତୀୟ କୋଷ୍ଟଗାର୍ଡ ସହ ଏଟିଏସ ମଧ୍ୟ ନିଶା କାରବାର ନେଇ ଅପରେସନ ଜାରି ରଖିଛି । ନିକଟରେ ଗୁଜୁରାଟ ଉପକୂଳରେ ଏକାଧିକ ଥର ପାକିସ୍ତାନୀ ବୋଟ ଜବତ ହେବାର ନଜିର ରହିଛି । କେତେବେଳେ ନିଶା ମାଫିଆ ତ କେବେ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ସୀମାରେ ପ୍ରବେଶ କରି ସୁରକ୍ଷାକୁ ବିପନ୍ନ କରୁଛନ୍ତି । ଏହାର ମୁକାବିଲା ପାଇଁ ଭାରତୀୟ କୋଷ୍ଟଗାର୍ଡ ଓ ନୌସେନା ମଧ୍ୟ ତାର ଅପରେସନକୁ ଜୋରଦାର କରିଛି । ପୋଟ୍ରୋଲିଂ ଓ ସର୍ଭିଲାନ୍ସକୁ ଗୁରୁତ୍ବ ଦିଆଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ