ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଯିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶ୍ବବ୍ୟାଙ୍କ, IMF, G-20 ଅର୍ଥମନ୍ତ୍ରୀ ସମ୍ମିଳନୀ ଓ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗଦେବେ । ସେଥିପାଇଁ ରବିବାର ଠାରୁ ଆମେରିକା ଗସ୍ତ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ସରକାରୀ ଗସ୍ତରେ ଆର୍ଥିକ ବୈଠକ ବ୍ୟତୀତ ଏକାଧିକ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ସୀତାରମଣ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ନେଇ ସୂଚୀ ରହିଛି ।
ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାର ପ୍ରତିନିଧିମାନଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି । ଏହି ଗସ୍ତ ସମୟରେ ସୀତାରମଣ ମଧ୍ୟ ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ ଦ୍ବାରା ଆୟୋଜିତ 'Money at a Crossroad' ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିବେ ।
ବିଶ୍ୱବ୍ୟାଙ୍କ, ଆଇଏମ୍ଏଫ୍, ଜି-20 ଏବଂ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ ସହିତ ସରକାରୀ ବୈଠକ ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୱାଶିଂଟନ୍ ଡିସିରେ ଅବସ୍ଥିତ ଏକ ପ୍ରମୁଖ ଥିଙ୍କ ଟ୍ୟାଙ୍କ ଆଟଲାଣ୍ଟିକ୍ କାଉନସିଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ସେ ଷ୍ଟାନଫୋର୍ଡ ୟୁନିଭରସିଟିର ଛାତ୍ର ଏବଂ ଅଧ୍ୟାପକମାନଙ୍କ ସହିତ ମଧ୍ୟ ଏକ ଇଣ୍ଟରଆକ୍ସନ କାର୍ଯ୍ୟକ୍ରମରେ ସାମିଲ ହେବାର କର୍ଯ୍ୟସୂଚୀ ମଧ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ