ନୂଆଦିଲ୍ଲୀ:ଆଜି ସକାଳୁ ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ସ୍ବଦେଶୀ କୋଭାକ୍ସିନ ଟିକା ନେଇଥିବା ବେଳେ ସମସ୍ତଙ୍କୁ ମଧ୍ୟ ଟିକା ନେବା ପାଇଁ ଟ୍ବିଟ ଯୋଗେ ଅପିଲ କରିଛନ୍ତି । ତେବେ 28 ଦିନ ପରେ ପ୍ରଧାନମନ୍ତ୍ରୀ ନେବେ ଦ୍ବିତୀୟ ଡୋଜ । ତେବେ ମୋଦିଙ୍କୁ ଟିକା ଦେଇଛନ୍ତି ନର୍ସ ପି.ନିଭେଦା । ଟିକା ଦେବା ସମୟରେ ମୋଦିଙ୍କ ସହ ହୋଇଥିବା କଥପୋକଥନର ଅନୁଭୁତି ବଖାଣିଛନ୍ତି ଏହି ନର୍ସ ।
AIIMSର ନର୍ସ ପି. ନିଭେଦା କହିଛନ୍ତି ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ ଟିକା ନେଇଛନ୍ତି । ତାଙ୍କୁ 28 ଦିନପରେ ଦ୍ବିତୀୟ ଡୋଜ ଦିଆଯିବ । ଟିକା ଦେବା ସମୟରେ ସେ ମତେ ପଚାରିଥିଲେ ମୋ ଘର କେଉଁଠି । ଆଉ ଟିକା ନେବା ପରେ କହିଲେ 'ଲଗା ଭି ଦି, ପତା ନେହିଁ ଚଲା' ଅର୍ଥାତ ଟିକା ଦେଇଦେଲ ଜଣା ବି ପଡିଲାନି । ମୋଦିଙ୍କୁ ଟିକା ଦେଇଥିବା ଏହି ନର୍ସଙ୍କୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । ସେ ପୁଡୁଚେରୀର ବାସିନ୍ଦା ବୋଲି ଜଣାପଡିଛି ।
ତେବେ ଅନ୍ୟ ଜଣେ ନର୍ସ ମଧ୍ୟ ମୋଦି ଟିକା ନେବା ସମୟରେ ଦେଖିବାକୁ ମିଳିଛି । ସେ ହେଉଛନ୍ତି କେରଳର ରୋସାମ୍ମା ଅନିଲ । ସେ କହିଛନ୍ତି ଯେ ଆଜି ସକାଳୁ ହିଁ ଆମେ ଜାଣିବାକୁ ପାଇଥିଲୁ ପ୍ରଧାନମନ୍ତ୍ରୀ ଟିକା ନେବାକୁ ଆସିବେ । ତାଙ୍କୁ ଦେଖି ଆମେ ବେଶ ଉତ୍ସାହିତ ହୋଇଥିଲୁ । ସାରଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଛୁ ବୋଲି ମିଡିଆକୁ କହିଛନ୍ତି ନର୍ସ ରୋସାମ୍ମା ।