ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ବେଲ ଆବେଦନ ଖାରଜ ହେବା ସହ ବାରମ୍ବାର ନ୍ୟାୟିକ ହାଜତ ଅବଧି ମଧ୍ୟ ବଢିବାରେ ଲାଗିଛି । ଆଜି ରାଉଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧିକୁ ଚଳିତମାସ (ମେ‘) 23 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ସ୍ବତନ୍ତ୍ର ସିବିଆଇ ଜଜ ଏମ.କେ ନାଗପାଲ ଏହି ଶୁଣାଣି କରି ସିସୋଦିଆଙ୍କ ହାଜତ ଅବଧିକୁ ବଢାଇବା ନେଇ ରାୟ ଶୁଣାଇଥିଲେ ।
ଦିଲ୍ଲୀ ପୋଲିସ କଡା ସୁରକ୍ଷା ବଳୟ ମଧ୍ୟରେ ସିସୋଦିଆଙ୍କୁ ଅପରାହ୍ନରେ କୋର୍ଟରେ ହାଜର କରାଯାଇଥିଲା । ଅପରାହ୍ନ ପ୍ରାୟ ସାଢେ 2 ଟାରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଶୁଣାଣି ଆରମ୍ଭ ହେବା ପୂର୍ବରୁ ସିସୋଦିଆଙ୍କୁ ତାଙ୍କ ଓକିଲଙ୍କ ସହ ପ୍ରାୟ 10 ମିନିଟ ଆଲୋଚନା କରିବାର ଅନୁମତି ମଧ୍ୟ ମିଳିଥିଲା । ନିଜ ପତ୍ନୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ସିସୋଦିଆ । ହେଲେ କୋର୍ଟ ତାହା ଗ୍ରହଣ କରିନାହାନ୍ତି । ସିସୋଦିଆଙ୍କୁ ଜାମିନ ପ୍ରଦାନ କରିବା ଆବେଦନରେ ତଦନ୍ତକାରୀ ସଂସ୍ଥାର ଜବାବ ମାଗିଛନ୍ତି କୋର୍ଟ । ପୂର୍ବରୁ ମଧ୍ୟ ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଥିବା କହି ସିବିଆଇ ସିସୋଦିଆଙ୍କ ବେଲ ଉପରେ ଆପତ୍ତି ଉଠାଇସାରିଛି ।
ଏହି ଅବକାରୀ ନୀତି ମାମଲାରେ ଗିରଫ ହେବା ପରେ ସିସୋଦିଆଙ୍କ ବିରୋଧରେ ଅନ୍ୟ କିଛି ପୃଥକ ମାମଲା ମଧ୍ୟ ପଞ୍ଜିକୃତ ହୋଇସାରିଛି । ମନିଲଣ୍ଡ୍ରିଂ ଓ ଫିଡବ୍ୟାକ ୟୁନିଟ ଗଠନ କରି ଗୁପ୍ତଚରଗିରି କରିବା ଅଭିଯୋଗରେ ମଧ୍ୟ ମାମଲା ରୁଜୁ ହୋଇସାରିଛି । ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଜେରା ମଧ୍ୟ କରି ସାରିଛି । ପୂର୍ବରୁ ତାଙ୍କୁ ସମନ କରାଯାଇ ଜେରା କରାଯିବା ସହ ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢାଉ ମଧ୍ୟ କରିସାରିଛି । ହେଲେ ସେତେବେଳେ ତାଙ୍କୁ ଗିରଫ କରାଯାଇନଥିଲା । ହେଲେ ପରେ ସେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ ନକରିବା ଓ ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ହେବା ଠାରୁ ସେ ବେଲ ପାଇବାରେ ସଫଳ ହୋଇନାହାନ୍ତି ।
ଏକାଧିକ ଥର ଜାମିନ ଖାରଜ ହେବା ସହ ତାଙ୍କ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ବଢିବାରେ ଲାଗିଛି । ଆଜି ମଧ୍ୟ ତାଙ୍କୁ ପୁଣି ନ୍ୟାୟିକ ହାଜତକୁ ପଠାଯାଇଛି । ଅନ୍ୟପଟେ ଏହି ମାମଲାରେ ସିବିଆଇ ଅନ୍ତରୀଣ ଚାର୍ଜସିଟ ଦାଖଲ କରିସାରିଛି । ଏଥିରେ ସାକ୍ଷ ଭାବେ ଅନ୍ୟ କିଛି ଆପ ନେତାଙ୍କ ନାମ ମଧ୍ୟ ଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ନିକଟରେ ସିବିଆଇ ଦ୍ବାରା ଜେରାର ସମ୍ମୁଖୀନ ହୋଇଥିଲେ । ପ୍ରାୟ 9 ଘଣ୍ଟା ଜେରା କରିବା ପରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଛାଡିଥିଲା । ଆମ ଆଦମୀ ପାର୍ଟି ଏହାକୁ ପ୍ରଥମରୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ଯାନୁଷ୍ଠାନ ବୋଲି କହିଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ