ଭୋପାଳ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା ଘଟଣା । ଅଭିଯୁକ୍ତ ପ୍ରଭେଶ ଶୁକ୍ଲାକୁ ଉଠାଇ ନେଲା ପୋଲିସ । ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ପ୍ରଭେଶ ଜଣେ ବିଜେପି କର୍ମୀ ହୋଇଥିବା କୁହାଯାଉଛି । ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାରେ ଘଟିଥିବା ଏହି ଅତ୍ୟନ୍ତ ଲଜ୍ଜାଜନକ ଘଟଣାର ଭିଡିଓ ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ଭିଡିଓରେ ଦେଖାଯାଇଛି, ଅଭିଯୁକ୍ତର ମୁହଁରେ ସିଗାରେଟ୍ ଅଛି । ସେ ସିଗାରେଟ୍ ଟାଣୁଥିବା ଅବସ୍ଥାରେ ଏକ କମର୍ସିଆଲ ବିଲ୍ଡିଂ ପାହାଚରେ ବସିଥିବା ଜଣେ ଯୁବକଙ୍କ ଉପରେ ପରିସ୍ରା କରୁଛି ।
ଏହି ଘଟଣାର ଭିଡିଓ ଭାଇରାଲ ପରେ ମଧ୍ୟପ୍ରଦେଶରେ ରାଜନୀତି ଜୋର୍ ଧରିଛି । ବିରୋଧି ଦଳ ନେତାମାନେ ଭିଡିଓଟିକୁ ସେୟାର କରି ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ତେବେ ଘଟଣା ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଜାତୀୟ ସୁରକ୍ଷା ଆଇନରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଗତକାଲି ରାତିରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଭାଇରାଲ ହେଉଛି ଭିଡିଓ
ଏନେଇ ପୋଲିସ ସୂଚନା ଦେଇଛି ଯେ, ପରିସ୍ରା ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ପ୍ରଭେଶ ଶୁକ୍ଲା କୌଣସି ଅଜଣା ସ୍ଥାନକୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା । ସେ ପଳାୟନ ପାଇଁ ଚେଷ୍ଟା କରୁଥିବା ବେଳେ ଗତ ରାତି ପ୍ରାୟ ୨ଟା ବେଳେ ପୋଲିସ ତାକୁ ଗିରଫ କରିଛି । ଏହାପୂର୍ବରୁ ପୋଲିସ ତା' ସ୍ତ୍ରୀ ଓ ବାପାମାଆଙ୍କୁ ପଚରାଉଚରା କରିଥିଲା । ସିଦ୍ଧି ଏଏସପି ଅଞ୍ଜୁଲତା ପଟେଲ କହିଛନ୍ତି, ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଛି । ବର୍ତ୍ତମାନ ତାକୁ ପଚରାଉଚରା ଚାଲିଛି । ଆଗକୁ ତା' ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାମଧ୍ୟ ପଢନ୍ତୁ: Ahmedabad triple talaq case: ଟଙ୍କା ମାଗିବାରୁ ସ୍ତ୍ରୀକୁ ତିନି ତଲାକ ଦେଲା ସ୍ବାମୀ
ତେବେ ଭିଡିଓଟି ପ୍ରାୟ ୯ ଦିନ ତଳର ବୋଲି ଜଣାପଡିଛି । ଅଭିଯୁକ୍ତ ଜଣେ ବିଜେପି କାର୍ଯ୍ୟକର୍ତ୍ତା ହୋଇଥିବା କଂଗ୍ରେସ ନେତା ଦାବି କରିଛନ୍ତି । ରାଜ୍ୟ ବିଜେପିର ଏକାଧିକ ବରିଷ୍ଠ ନେତାଙ୍କ ସହ ସେ ବୁଲୁଥିବାର ଫୋଟ କଂଗ୍ରେସ ନେତାମାନେ ସେୟାର କରିଛନ୍ତି । ଅନ୍ୟପଟେ ଏହି ଅଭିଯୋଗରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ