ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲେକର ହତ୍ୟାକାଣ୍ଡ ମାମଲାରେ ଆଜି (ରବିବାର) ଦିଲ୍ଲୀ ପୋଲିସ ଏକାଧିକ ସ୍ଥାନରେ ସର୍ଚ୍ଚ ଅପରେସନ କରିଛି । ରିମାଣ୍ଡରେ ଥିବା ଅଭିଯୁକ୍ତ ଅଫତାବ ଠାରୁ ଜେରାରେ ମିଳିଥିବା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଏହି ସର୍ଚ୍ଚ କରାଯାଇ ଥିବାବେଳେ ସେଥିରେ ମୃତଦେହର କିଛି ଅଂଶବିଶେଷ ମିଳିଥିବା ମଧ୍ୟ ସୂଚନା ମିଳିଛି । ମେହେରୁଲୀରେ ଜଙ୍ଗଲ ମଧ୍ୟରେ ଥିବା ଏକ ହ୍ରଦରୁ ମେସିନ ସାହାଯ୍ୟରେ ପାଣି ଶୁଖାଯାଇ ମୃତଦେହ ଅଂଶବିଶେଷ ଠାବ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ମେହେରୁଲୀ ନିକଟବର୍ତ୍ତୀ ଛତ୍ରପୁରର ଜଙ୍ଗଲ ସମେତ ଅଭିଯୁକ୍ତ ଅଫତାବ ଓ ଶ୍ରଦ୍ଧା ରହୁଥିବା ଆପାର୍ଟମେଣ୍ଟ ଓ ରାଜଧାନୀ ଆଉ କିଛି ସ୍ଥାନରେ ଆଜି ସର୍ଚ୍ଚ କରିଥିଲା ପୋଲିସ ।
ଅଭିଯୁକ୍ତ ଅଫତାବ ଏବେ 5 ଦିନିଆ ପୋଲିସ ରିମାଣ୍ଡରେ ରହିଛି । ମଙ୍ଗଳବାର ହେପାଜତ ଅବଧି ଶେଷ ହେଉଥିବା ବେଳେ ପୋଲିସ ପୁଣି ତାକୁ କୋର୍ଟରେ ହାଜର କରିବ । ଏବେ ମାରାଥନ ଜେରା କରି ତଥ୍ୟ ହାସଲ କରିବାରେ ଲାଗିଛି ଦିଲ୍ଲୀ ପୋଲିସ । ହସ୍ତଗତ ହେଉଥିବା ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ମୃତଦେହର ଅବଶିଷ୍ଟାଶଂ ସହ ଅନ୍ୟ ପ୍ରମାଣ ମଧ୍ୟ ହାତେଇବାର ପ୍ରୟାସରେ ଲାଗିଛି ପୋଲିସ । ଏହି ଅବଧି ପରେ ମଧ୍ୟ ଅଫତାବକୁ ପୁଣି ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିପାରେ ବୋଲି ମଧ୍ୟ ସୂଚନା ମିଳିଛି ।
ଏକ ଅନଲାଇନ ଡେଟିଂ ଆପ ଜରିଆରେ ପ୍ରଥମେ ପରସ୍ପର ସହ ପରିଚିତ ହୋଇଥିଲେ ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ଓ ଅଭିଯୁକ୍ତ ଅଫତାବ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଭିନ୍ନ ଧର୍ମର ହୋଇଥିବା କାରଣରୁ ପରିବାର ଲୋକେ ଏହାକୁ ବାରଣ କରିଥିଲେ । ପରେ ଉଭୟ ଦିଲ୍ଲୀର ମେହେରୁଲିରେ ଏକ ଭଡା ଆପାର୍ଟମେଣ୍ଟରେ ଲିଭ୍-ଇନ-ରିଲେସନସିପରେ ରହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ସମ୍ପୃକ୍ତ ଯୁବତୀ ବିବାହ ପାଇଁ ବାରମ୍ବାର ଅଭିଯୁକ୍ତ ଉପରେ ଚାପ ପକାଇଥିଲା । ଉଭୟଙ୍କ ମଧ୍ୟରେ ଏହି ଘଟଣାକୁ ବଚସା ହେବା ସହ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଥିଲା ।
ଗତ ମେ’ ମାସରେ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲା । ପରେ ପ୍ରାମଣ ନଷ୍ଟ କରିବା ପାଇଁ ନାଟକୀୟ ଭାବେ ଏକାଧିକ ବିଭତ୍ସ କାଣ୍ଡ କରିବାକୁ ମଧ୍ୟ ପଛାଇ ନଥିଲା ଅଫତାବ । ଇଣ୍ଟରନେଟ ସହାୟତାରେ ମୃତଦେହକୁ କିପରି ବିନା ସନ୍ଦେହରେ ନଷ୍ଟ କରାଯାଇ ପାରିବ ତାହା ଶିଖିଥିଲା ଅଭିଯୁକ୍ତ । ମୃତଦେହକୁ ୩୫ଖଣ୍ଡ କରି କାଟିବା ପରେ ଏକ ଫ୍ରିଜରେ ରଖିଥିଲା । ପ୍ରତିଦିନ ମଧ୍ୟରାତ୍ରୀରେ ନିକଟରେ ଥିବା ଜଙ୍ଗଲରେ ମୃତଦେହର କିଛି କିଛି ଖଣ୍ଡ ଫିଙ୍ଗୁଥିଲା । ଶେଷରେ ହତ୍ୟାକାଣ୍ଡର ଦୀର୍ଘ ୫ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏପରି ବିଭତ୍ସ ମାନସିକତା ସାମ୍ନାକୁ ଆସିବା ପରେ ଏକାଧିକ ସାମାଜିକ ସଂଗଠନ ଲଭ ଜିହାଦ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତ ଅଫତାବକୁ ଫାଶୀ ଦଣ୍ଡାଦେଶ ଦେବା ଦାବିରେ ପ୍ରତିବାଦ କରିଛନ୍ତି ।