ସିଲଂ: ମେଘାଳୟର ରାଜଧାନୀ ସିଲଂରେ ହିଂସା । ପୋଲିସ ଗୁଳିବିନିମୟରେ ଉଗ୍ରବାଦୀଙ୍କ ମୃତ୍ୟୁକୁ ନେଇ ଉପୁଜିଛି ହିଂସା । ଉତ୍ତେଜନା ପରିସ୍ଥିତି ମଧ୍ୟରେ ଇସ୍ତଫା ଦେଇଛନ୍ତି ମେଘାଳୟ ଗୃହମନ୍ତ୍ରୀ ଲହକମନ ରିମ୍ବୁଇ ।
ମେଘାଳୟ ଗୃହମନ୍ତ୍ରୀଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟର ଅଧିକାରୀ । ସେପଟେ ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖି ରବିବାର କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲାପାଳ ଇସାବନ୍ଦା ଲାଲୁ । ସହରର କିଛି ଅଞ୍ଚଳରେ ହିଂସା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି | ଆଦେଶରେ କୁହାଯାଇଛି ଯେ ଏହି ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା ହୋଇଛି । ଅଗଷ୍ଟ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।
ମିଳିଥିବା ସୂଚନା ଆଧାରରେ ପ୍ରଶାସନ କହିଛି ଯେ ପଥର ଫିଙ୍ଗିବା, ଅଗ୍ନିକାଣ୍ଡ ଓ ଚୋରି ଘଟଣା ଘଟିଛି। ସିଲଂ ସହରର କିଛି ଅଞ୍ଚଳରେ ଆଇନ ଶୃଙ୍ଖଳା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଶାନ୍ତି ଭଙ୍ଗ ହେବାର ଆଶଙ୍କା କରି ଚାରିଆଡେ ପୋଲିସ ଛାଉଣି କରିଦିଆଯାଇଛି । ହିଂସା ଯେଭଳି ଅନ୍ୟ କୌଣସି ସ୍ଥାନକୁ ନବ୍ୟାପେ, ଏନେଇ ଆଲର୍ଟ ରହିଛି ପ୍ରଶାସନ ।