ଲକ୍ଷ୍ନୌ: କଥାରେ ଅଛି, ଦୃଢ ଇଚ୍ଛାଶକ୍ତି ବଳରେ ଜଣେ ପାହାଡ ମଧ୍ୟ ଚଢିପାରେ, ଆଉ ଗଭୀର ସମୁଦ୍ରକୁ ମଧ୍ୟ ଲଂଘିପାରେ । ମନରେ ଗଭୀର ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ଏସବୁକୁ ସମ୍ଭବ କରିପାରେ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବିଧବା ମହିଳାଙ୍କ ବିଷୟରେ କହିବୁ, ଯିଏ ବୟସର ଅପରାହ୍ନରେ ପହଞ୍ଚି ବି ଆତ୍ମନିର୍ଭରଶୀଳତାକୁ ପ୍ରତିପାଦନ କରିଛନ୍ତି ।
ବିବାହର ମାତ୍ର ବର୍ଷକ ପରେ ତାଙ୍କୁ ଏକାକରି ଆରପାରିକୁ ଚାଲିଯାଇଥିଲେ ସାତ ଜନ୍ମର ସାଥି । ସେହିଦିନରୁ ସେ ସାଇକେଲରେ ଗାଁଗାଁ ବୁଲି କ୍ଷୀର ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଆଜି ସେ ଜୀବନର 62ଟି ପାହାଚ ଅତିକ୍ରମ କରିସାରିଥିବାବେଳେ ଆଜି ବି କାହା ଉପରେ ନିର୍ଭରଶୀଳ ନୁହଁନ୍ତି । ସେ କାହା ଆଗରେ ହାତ ପାତି ନାହାନ୍ତି, ବଂର ବିଗତ 22 ବର୍ଷ ଧରି ସାଇକେଲରେ କ୍ଷୀର ବେପାର କରୁଛନ୍ତି । ଗାଁଲୋକେ ତାଙ୍କୁ ସ୍ନେହରେ ଶୀଲା ମାଉସୀ ବୋଲି ଡାକନ୍ତି।
ଉତ୍ତରପ୍ରଦେଶର କାସଗଞ୍ଜର ଖେଡା ଗାଁରେ ରହୁଥିବା ଶୀଲା ଦେବୀଙ୍କ ବିବାହ 1980 ମସିହାରେ ହୋଇଥିଲା । ଆଉ ବିବାହର ମାତ୍ର ବର୍ଷକ ପରେ ସ୍ବାମୀ ଏକାକରି ଆରପାରିକୁ ଚାଲିଗଲେ । ଏତେ କମ ବୟସରେ ସ୍ବାମୀ ଚାଲିଗଲା ପରେ ସେ ପୁଣି ନିଜ ବାପଘରକୁ ଫେରିଆସିଥିଲେ । ଆଉ କାହା ଉପରେ ବୋଝ ନହୋଇ, ନିଜ ପିତାଙ୍କୁ ଚାଷ କାମରେ ସାହାଯ୍ୟ କରିବାକୁ ଲାଗିଲେ । ମାତ୍ର ଦଇବର ଇଚ୍ଛା ଥିଲା କିଛି ଅଲଗା । ସ୍ବାମୀ ମୃତ୍ୟୁକୁ ବର୍ଷେ ନପୁରୁଣୁ ବାପା ମାଆ ବି ଆଖି ବୁଜିଲେ ।
ମାତ୍ର ଜୀବନର ଏତେ ବଡ ଦୁଃଖ ସମୟରେ ବି ଭାଙ୍ଗି ନଥିଲେ କି ଅନ୍ୟମାନଙ୍କ ଭଳି ନିଜ ଭାଗ୍ୟକୁ ଆଦରି ପଡି ନଥିଲେ । ତାଙ୍କ ଅଦମ୍ୟ ଇିଚ୍ଛାଶକ୍ତି ଓ ଦୃଢ ଆତ୍ମବିଶ୍ବାସକୁ ଧରି ସେ ନିଜ ଜୀବିକା ନିର୍ବାହ ପାଇଁ 2ଟି ମଇଁଁଷି କିଣି କ୍ଷୀର ବ୍ୟବସାୟ ଆରମ୍ଭ କରିଦେଲେ । ପ୍ରତିଦିନ ଶୀଲା ନିଜ ସାଇକେଲରେ ଗାଁଗାଁ ବୁଲି କ୍ଷୀର ଲୋକଙ୍କୁ ଯୋଗାନ୍ତି । ସେ ଏମିତି ବିଗତ 22 ବର୍ଷ ହେଲା କରିଆସୁଛନ୍ତି । ଆଜି 62 ବର୍ଷରେ ବି ଶୀତ ଖରା ବର୍ଷାରେ ବି ଭୋର 4ଟାରୁ ଉଠି କ୍ଷୀର ଡବା ଗୁଡିକୁ ସାଇକେଲରେ ଲଦି 5 କିମି ଯାଏଁ ସାଇକେଲରେ ଯାଆନ୍ତି । ଏହାସହ ଗାଇ ଧୁଇଁବା ଠାରୁ ଆରମ୍ଭ କରି ଗାଇଙ୍କ ଚାରା ଆଣିବା କାମ ବି ଖୋଦ ଶିଲା ନିଜେ କରନ୍ତି ।
ଅନ୍ୟପଟେ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଏଥିରୁ ବି ବଞ୍ଚିତ ଶୀଲା । ଅନ୍ୟପଟେ ଏହାକୁ ନେଇ ଶୀଲା କହିଛନ୍ତି ଯେ, ପେନସନ ପାଇଁ ତାଙ୍କ ନାଁ ଯାଇଥିଲେ ବି ଏଯାଏଁ ତାଙ୍କୁ ପେନସନ ଟଙ୍କା ମିଳିନି । ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ