ଅହମ୍ମଦାବାଦ: "ଗତକାଲି ଆମ ଦିନ ନଥିଲା । ଆମେ ଖୁବ୍ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବୁ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ "। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ଫାଇଟ୍ ହାରିବା ପରେ, ଟିମ୍ ଇଣ୍ଡିଆ ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଖେଳାଳିମାନଙ୍କୁ ଆଶ୍ବାସନା ଦେଇଥିଲେ । ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ କୋଳେଇ ନେବା ସହ ପିଠି ଥାପୁଡ଼େଇ ଦେଇଥିଲେ । ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀଙ୍କ ସହ ଏଭଳି ଭାବବିହ୍ବଳ ମୁହୂର୍ତ୍ତର କିଛି ବିରଳ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମହମ୍ମଦ ଶାମି ।
ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବକପ 2023 ଫାଇନାଲ: କାହିଁକି ଅଟକିଲା ଭାରତର ବିଜୟ ରଥ, ଜାଣନ୍ତୁ 5 କାରଣ
ଏହା ମଧ୍ୟ ପଢ଼ନ୍ତୁ: ପରାଜୟ ପରେ ଟିମ ଇଣ୍ଡିଆର ସମର୍ଥନରେ ବିଗ ବି, କହିଲେ 'ଏବେ କିଛି ଶେଷ ହୋଇନାହିଁ'
ଏହା ମଧ୍ଯ ପଢ଼ନ୍ତୁ: କାହିଁକି ଫାଇନାଲରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ ? କାରଣ କହିଲେ କ୍ରୀଡ଼ା ସମୀକ୍ଷକ
ଅହମ୍ମଦାବାଦର ମୋଟେରାରେ ସୁପର ସଣ୍ଡେ, ଭାରତ ପାଇଁ ଥିଲା ବଡ଼ ବ୍ଲାକ ଡେ ସଦୃଶ । ୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ଉତ୍ସାହ, ଉଦ୍ଦିପନାରେ ବ୍ରେକ୍ ଲଗାଇଥିଲା କଙ୍ଗାରୁ ଦଳ । ବିଶ୍ବକପ୍ କ୍ରିକେଟର୍ ହାଇ ଭୋଲଟେଜ୍ ଫାଇନାଲ ମ୍ୟାଚରେ, ପରାଜୟର ମୁହଁ ଦେଖିଥିଲା ଟିମ୍ ଇଣ୍ଡିଆ । ହୋମ୍ ଟର୍ଫରେ କ୍ରିକେଟ କୀର୍ତ୍ତିମାନ ସ୍ଥାପନ ପାଇଁ ଯେଉଁ ସୁବର୍ଣ୍ଣ ସୁଯୋଗ ଥିଲା, ତାହା ରାତିର ଅନ୍ଧାରରେ ମିଳାଇ ଯାଇଥିଲା । ପରାଜୟକୁ ନେଇ ସ୍ତବ୍ଧ ହୋଇଯାଇଥିଲା ପୁରା ଦେଶ । କୋଟି କୋଟି ଭାରତୀୟ ଏବଂ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଛାଇ ଯାଇଥିଲା ନିରବତା । ଆଉ ଏଥିରୁ କେମିତି ବା ବାଦ ପଡ଼ିଥାନ୍ତା ଭାରତୀୟ କ୍ରିକେଟ୍ ଟିମର ଡ୍ରେସିଂ ରୁମ୍ ।
ଯାହା କେହି କଳ୍ପନା କରି ନଥିଲେ, ତାହା ହିଁ ଶେଷରେ ଘଟିଲା । ମ୍ୟାଚ୍ ପରେ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ପିନ୍ ଡ୍ରପ୍ ସାଇଲେନ୍ସ । କାହା ପାଟିରୁ ବାହାରୁ ନଥିଲା ଭାଷା । ଏହି ସମୟରେ ଭାରତୀୟ ଦଳର ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଦେଖୁଥିବା ମୋଦି, ଷ୍ଟାଡିୟମର ଦର୍ଶକ ଗ୍ୟାଲେରିରୁ ସିଧା ପହଞ୍ଚିଥିଲେ ରୋହିତ ସେନାର ଡ୍ରେସିଂ ରୁମରେ । ପରାଜୟର ଦୁଃଖ ଏବଂ ଅବଶୋଷରେ ଜର୍ଜରିତ ଭାରତୀୟ ଖେଳାଳିମାନଙ୍କୁ ଆଶ୍ବାସନା ଦେଇଥିଲେ ମୋଦି । ଟିମ୍ ସଦସ୍ୟମାନଙ୍କ ମନ ହାଲକା କରିବାକୁ ସମସ୍ତଙ୍କ ସହ କଥା ହେବା ସହ ବେଶ୍ କିଛି ସମୟ କଟାଇଥିଲେ । ତେବେ ବୋଲର ମହମ୍ମଦ ଶାମିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଟାଇଥିବା ମାତ୍ର କିଛି ମୁହୂର୍ତ୍ତ, ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ମୋଦି ଏବଂ ଶାମିଙ୍କ ଡ୍ରେସିଂ ରୁମ୍ ଫଟୋ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାବପୂର୍ଣ୍ଣ ଫଟୋକୁ ସେୟାର କରିଛନ୍ତି ଶାମି । ମୋଦି ଏହି ଫଟୋରେ ଶାମିଙ୍କୁ କୋଳେଇ ନେବା ସହ ପିଠି ଥାପୁଡ଼ାଉଛନ୍ତି । ଶାମି, ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍ କରି ଧନ୍ୟବାଦ ଜଣାଇଛନ୍ତି । ଡ୍ରେସିଂ ରୁମ୍କୁ ଆସି ଖେଳାଳିମାନଙ୍କ ମନୋବଳ ସୁଦୃଢ଼ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆମେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବୁ ବୋଲି ଲେଖିଛନ୍ତି ଶାମି । ମହମ୍ମଦ ଶାମିଙ୍କ ଇନଷ୍ଟା ପୋଷ୍ଟ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଭାବପୂର୍ଣ୍ଣ ଫଟୋ, ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି ।