ହାଇଦ୍ରାବାଦ: ଉଦ୍ଧମ ସିଂ, ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀ ପୁରୁଷ । ଭାରତ ଇତିହାସର ସବୁଠୁ ଦୁଃଖଦ ଘଟଣା ଜାଲିଆନୱାଲା ବାଗ ହତ୍ୟାକାଣ୍ଡ କଥା ମନକୁ ଆସିଲେ ମନେପଡନ୍ତି ଏହି ମହାନ ବୀର । ଯିଏ ସାତ ସମୁଦ୍ର ପାର୍ ହୋଇ ଏହି ବୀଭତ୍ସ କାଣ୍ଡର ପ୍ରତିଶୋଧ ନେଇଥିଲେ । ଜାଲିଆନୱାଲା ବାଗ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟାର୍ ଏବଂ ଲେଫ୍ଟିନାଣ୍ଟ ଗଭର୍ଣ୍ଣର ମାଇକେଲ ଓ ଡାୟାର । 1927ରେ ଏକ ଗୁରୁତର ରୋଗରେ ରେଜିନାଲ୍ଡ ଡାୟାରଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ମାଇକେଲ୍ ଡାୟାର ଜୀବିତ ଥିଲେ ଏବଂ ବ୍ରିଟେନ ଫେରିଆସିଥିଲେ । କିନ୍ତୁ ଉଦ୍ଧମ ସିଂ ଦୀର୍ଘ 21 ବର୍ଷ ପରେ ମଧ୍ୟ ତାଙ୍କ ପିଛା କରୁଥିଲେ ଏବଂ ଶେଷରେ ଏକ ଜନଗହଳି ପୂର୍ଣ୍ଣ ହଲରେ ତାଙ୍କୁ ଗୁଳି କରି ହତ୍ୟାକାଣ୍ଡର ପ୍ରତିଶୋଧ ନେଇଥିଲେ । ଆଜି ସେହି ମହାନୀ ବୀର ଶହୀଦ୍ ଉଦ୍ଧମ ସିଂଙ୍କ ଜୟନ୍ତୀ ।
1899 ମସିହା ଆଜିର ଦିନରେ ପଞ୍ଜାବର ସଙ୍ଗରୁର ଠାରେ ଉଦ୍ଧମ ସିଂଙ୍କ ଜନ୍ମ । ପୂର୍ବରୁ ତାଙ୍କ ନାମ ଥିଲା ଶେର ସିଂହ । କମ୍ ବୟସରୁ ଉଦ୍ଧବଙ୍କ ମାଆ ଆରପାରିକୁ ଚାଲିଯାଇଥିଲେ । ବାପା ମଧ୍ୟ ରୋଗାଗ୍ରସ୍ତ ରହୁଥିଲେ । ଏହାପରେ ତାଙ୍କ ଦାଦା ତାଙ୍କୁ ଅମୃତସରରେ ଏକ ଅନାଥ ଆଶ୍ରମରେ ଛାଡ଼ି ଆସିଥିଲେ । ଅନାଥ ଆଶ୍ରମରେ ଥିବା ସମୟରେ ତାଙ୍କ ନାମ ଉଦ୍ଧମ ସିଂ ରଖାଯାଇଥିଲା ।
1919 ମସିହାରେ ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ଦିନ ଉଦ୍ଧମ ସିଂ ସ୍ବୟଂ ସେଠାରେ ଉପସ୍ଥିତ ଥିଲେ । ଅଚାନକ ବ୍ରିଟିଶମାନେ ଗୁଳି ବର୍ଷଣ କରିବାରୁ ଏକ ଗଛମୂଳେ ଲୁଚି ନିଜ ଜୀବନ ବଞ୍ଚାଇଥିଲେ ଉଦ୍ଧମ ସିଂ । ସ୍ବଚକ୍ଷୁରେ ଏଭଳି ରକ୍ତାକ୍ତ କାଣ୍ଡ ଦେଖିବା ପରେ ଏହାର ପ୍ରତିଶୋଧ ନେବାକୁ ପ୍ରତିବଦ୍ଧ ହୋଇଥିଲେ ସେ । ପରେ ମାଇକେଲ ଓ ଡାୟାରଙ୍କ ଠାରୁ ସେହି ରକ୍ତାକ୍ତ କାଣ୍ଡର ହିସାବ ନେବାକୁ ଅନେକ ଥର ଲଣ୍ଡନରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ ଉଦ୍ଧମ ସିଂହ । କିନ୍ତୁ ପ୍ରଥମେ ସେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ । ଏହାପରେ ଇଂଲଣ୍ଡ ଯାଇଥିଲେ । ପରେ ସେ ଆମେରିକା ମଧ୍ୟ ଯାଇଥିଲେ । ସେଠାରେ ଉଦ୍ଧମ ବମ୍, ପିସ୍ତଲ, ହ୍ୟାଣ୍ଡଲିଂ କଳା ଶିଖିଥିଲେ । ଦିନେ ସୁଯୋଗ ମିଳିବା ପରେ ପିସ୍ତଲକୁ ଏକ ବହି ଭିତରେ ଲୁଚାଇ ସର୍ବସମ୍ମୁଖରେ ଡାୟରଙ୍କୁ ଗୁଳି କରି ହତ୍ୟା କରିଥିଲେ ।
୧୯୪୦ ଜୁଲାଇ ୩୧ ତାରିଖ ଦିନ ଭାରତମାତାର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଲଣ୍ଡନରେ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଜେଲ୍ରେ ହିଁ ତାଙ୍କ ମୃତଦେହକୁ ପୋତି ଦିଆଯାଇଥିଲା । ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ବଳରେ ୧୯୭୪ ଜୁଲାଇ ୩୧ ତାରିଖରେ ଉଦ୍ଧମ ସିଂହଙ୍କ ଦେହବାଶେଷ ଭାରତକୁ ହସ୍ତାନ୍ତର କରିଥିଲେ ବ୍ରିଟିଶ ସରକାର । ଉଦ୍ଧମ ସିଂହଙ୍କ ଦେହବାଶେଷକୁ ନେଇ ସୁନାମ ଷ୍ଟାଡିୟମରେ ସଂସ୍କାର କରାଯାଇଥିଲା । ଆଜି ଏହି ବୀରପୁରୁଷ ନାହାନ୍ତି ସତ, ହେଲେ ଆଜି ବି ଦେଶ ମାତୃକା ପାଇଁ ତାଙ୍କର ବଳିଦାନକୁ ଭୁଲି ନାହାନ୍ତି ଦେଶବାସୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ