ବେଙ୍ଗାଲୁରୁ: କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହୋଇଥିଲା ସମ୍ପର୍କ । କିଛି ଦିନ କଥା ବାର୍ତ୍ତା ହେବା ପରେ ସମ୍ପର୍କ ହୋଇଥିଲା ନିବିଡ । ହେଲେ ଏହାପରେ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ଚାପ ପକାଇଲେ ଜଣେ ବ୍ୟବସାୟୀ । ଶେଷରେ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ନିଜ ପରିଚୟ ଦେଇ ସମ୍ପର୍କ ବଢାଇଥିଲେ ଗଣେଶ ନାମକ ବ୍ୟବସାୟୀ । ଡିଜେ ହଲି ଥାନାରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୀଡିତାଙ୍କ ଘର ଡିଜେ ହଲି ଥାନା ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ବୟସ 33 ବର୍ଷ । ଏହି ଘଟଣାରେ ରାଜ୍ୟ ମହିଳା ଆୟୋଗଙ୍କ ନିକଟରେ ବି ଅଭିଯୋଗ କରିଛନ୍ତି । ଆୟୋଗଙ୍କ ନିର୍ଦ୍ଦେଶ ପରେ ବ୍ୟବସାୟୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।
ଏୟାରପୋର୍ଟରେ ପୀଡିତାଙ୍କ ସହ ପରିଚିତ : ଗତ ଅଗଷ୍ଟ 14 ତାରିଖ ବିଳମ୍ବିତ ରାତିରେ ମୁମ୍ବାଇରୁ ବିମାନ ଯୋଗେ ଆସି ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ପୀଡ଼ିତା । ଏହାପରେ ଘରକୁ ଯିବା ପାଇଁ ବିମାନ ବନ୍ଦରର କ୍ୟାବ୍ ଜୋନରେ ଏକ କ୍ୟାବ ବୁକ୍ କରିବାକୁ ଅପେକ୍ଷା କରିଥିଲେ । ଏହାପରେ ବ୍ୟବସାୟୀ ଜଣଙ୍କ ମହିଳାଙ୍କ ପାଖକୁ ଆସି ନିଜର ପରିଚୟ ଦେଇଥିଲା । ଏହାପରେ ନିଜେ କ୍ୟାବ୍ ବୁକ କରି ପୀଡିତା ଜଣଙ୍କୁ ନେଇ ତାଙ୍କ ଘରେ ଛାଡି ଥିଲେ । ଏହାରି ମଧ୍ୟରେ ମୋବାଇଲ ନମ୍ବର ନେଣଦେଣ ବି ହୋଇଥିଲା ।
ଅସୁସ୍ଥ ଥିବାରୁ ଦେଖା କରିନଥିଲେ ପୀଡିତା: ମହିଳାଙ୍କ ନମ୍ବର ପାଇବା ପରେ ଗଣେଶ ତାଙ୍କୁ ପର ଦିନ ଫୋନ କରି ଭେଟିବାକୁ କହିଥିଲା । କିନ୍ତୁ ଅସୁସ୍ଥ ଥିବାରୁ ସେ ଦେଖା କରିବାକୁ ମନା କରିଦେଇଥିଲେ । କିନ୍ତୁ ଦିନ ଗଡିଚାଲିବା ସହ ପରସ୍ପର ମଧ୍ୟରେ ଫୋନରେ ବାର୍ତ୍ତାଳପ ଜାରି ରଖିଥିଲେ । ଦୁହେଁ ଦୁହିଁଙ୍କୁ ପସନ୍ଦ ବି କରିବାକୁ ଲାଗିଥିଲେ । ପୀଡିତା ଜଣଙ୍କ ବ୍ୟବସାୟୀ ଗଣେଶଙ୍କୁ ନିଜର ବ୍ୟକ୍ତିଗତ ଜୀବନରେ ଯେଉଁ ଯେଉଁ ସମସ୍ୟା ରହୁଥିଲା ତାହା ସେୟାର କରୁଥିଲେ ।
ପୋଲିସର ତଦନ୍ତରୁ ଜଣାପଡିଛି ଯେ, ଗଣେଶ ପୀଡିତାଙ୍କ ସହ ପ୍ରତ୍ୟେକ ଦିନ ଫୋନରେ ବାର୍ତ୍ତାଳପ କରେ । ପରେ ଭିଡିଓ କଲରେ ଇକ୍ୟୁ ଗେମ୍ ଖେଳିବା ଆରମ୍ଭ କରିଥିଲେ । ଦିନ ଗଡିଚାଲିବା ସହ ଗଣେଶର ଆଚରଣ ପରିବର୍ତ୍ତନ ହେବାକୁ ଲାଗିଲା । ଯାହା ପୀଡିତା ଜଣଙ୍କୁ ଭଲ ନଲାଗିବାରୁ ସେ ସମ୍ପର୍କ ଛିନ୍ନ କରିବାକୁ ସ୍ଥିର କରିଥିଲେ । ଶାରିରୀକ ସମ୍ପର୍କ ରଖିବାକୁ ମହିଳା ଜଣଙ୍କୁ ବାଧ୍ୟ କରୁଥିଲେ ବ୍ୟବସାୟୀ । ବର୍ତ୍ତମାନ ପୀଡିତା ଜଣଙ୍କୁ ବ୍ୟବସାୟୀ ଜଣଙ୍କ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।