ଗାନ୍ଧୀନଗର: ଦାରୁଣ ଦୁଃଖ ଦେଲା ଝୁଲା ପୋଲ । ଆଖି ପିଛୁଳାକେ ସବୁ କିଛି ଶେଷ ହୋଇଗଲା । ଗୁଜୁରାଟର ମୋର୍ବି ଝୁଲା ବ୍ରିଜ ଭୁଶୁଡ଼ିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଅନେକ ନିଜ ଅତ୍ମୀୟଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି । ଏଯାବତ ମୃତ୍ୟୁ ସଂଖ୍ୟା 135ରେ ପହଞ୍ଚିଥିବାବେଳେ ଅନେକ ଚିକିତ୍ସିତ ଅଛନ୍ତି । ଏହି ଅଘଟଣରେ ଗୋଟିଏ ପରିବାର ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 8 ଜଣ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଏକାସାଙ୍ଗରେ ପରିବାରର 6 ଜଣଙ୍କ ମୃତ୍ୟୁକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ଘରଲୋକେ ।
ପୋଲ ଭୁଶୁଡ଼ିବା ସମୟରେ ସେମାନଙ୍କ ପରିବାରର 35 ଜଣ ସେଠାରେ ଥିବା ଜଣାପଡ଼ିଛି । ନିଜ ପରିବାର ସହ ପୋଲ ବୁଲିବା ଉଦ୍ଦେଶ୍ୟରେ ସଭିଏଁ ଯାଇଥିଲେ । ହେଲେ କିଏବା ଜାଣିଥିଲା ମୃତ୍ୟ ରୂପକ ଝୁଲାପୋଲ ସେଠାରେ ଅପେକ୍ଷା କରି ରହିଥିବ । ଅଘଟଣରେ ଉକ୍ତ ପରିବାରର ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ପାଲଟି ଯାଇଛି । ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ଏହି ପୁରାତନ ବ୍ରିଜ ମରାମତି ପାଇଁ ଗତ କିଛି ମାସ ଧରି ବନ୍ଦ ରହିଥିଲା । ତେବେ ମରାମତି ସରିବା ପରେ ଗତ 5ଦିନ ପୂର୍ବରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା ।
ପୋଲରେ ମାତ୍ରାଧିକ ଭିଡ ଦେଖିବାକୁ ମିଳିଥିଲା । ସେଥିରେ ପ୍ରାୟ ୪୦୦ ପର୍ଯ୍ୟଟକ ଉପସ୍ଥିତ ରହିଥିବା ବେଳେ ଘଟିଥିଲା ଅଘଟଣ । ହଠାତ ପୋଲଟି ଭୁଶୁଡ଼ି ପଡ଼ିଥିଲା । କେହି କିଛି ବୁଝିବା ଆଗରୁ ପାଣି ଭିତରେ ଖସି ପଡ଼ିଥିଲେ । ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର ମଧ୍ୟ କରୁଥିବାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଥିଲା । ପ୍ରାଥମିକ ଖବର ଭାବେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବାବେଳେ, ରାତି ବଢିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଗୁଜୁରାଟ ଝୁଲା ପୋଲ ଟ୍ରାଜେଡି, ସାମ୍ନାକୁ ଆସିଲା ପୋଲ ଛିଡିବାର ଦୃଶ୍ୟ
ଏହି ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା । ଘଟଣା ସହ ସମ୍ପୃକ୍ତ ଏକାଧିକ ବିଭାଗର ୯ ଜଣଙ୍କୁ ଗିରଫ କରାଯାଇଛି । ତେବେ ପୋଲର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ସ୍ଥାନୀୟ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରଥିବାବେଳେ, ଏବେ ସୁଦ୍ଧା ୯ ଜଣଙ୍କୁ ଅଟକ ରଖି ତଦନ୍ତ କରାଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି (9 people arrested in Morbi incident) ।