ଲକ୍ଷ୍ନୌ: ଉତ୍ତରପ୍ରଦେଶର ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ପୃଥକ ପୃଥକ ଦୁର୍ଘଟଣା ଘଟି ଗୋଟିଏ ଦିନରେ ୬ ଜଣ ମୃତ୍ୟୁ ହୋଇଛି । ଗତକାଲି(ବୁଧବାର) ଘଟିଛି ଏଭଳି ଅଘଟଣ । ମିରଟର ଜାନୀ ଥାନା ଅଞ୍ଚଳର ବିବିହା ପ୍ରୋସେସନ ଚାଲିଥିବା ବେଳେ କାର ମାଡି ଯିବାରୁ ବର ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ । ଏହା ସହ ଆଲିଗଡରେ ମଧ୍ୟ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ ।
ସୂଚନାଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଜାନୀ ଥାନା ଅନ୍ତର୍ଗତ ସିସୌଲା ନିବାସୀ ପ୍ରଭାତ ଚୌଧିରୀଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ଡିଜେ ବାଜୁଥିଲା, ତାଳେତାଳେ ଝୁମିଥିଲେ ବରଯାତ୍ରୀ । ଅଳ୍ପ କିଛି ସମୟ ପରେ ବିବାହ ମଣ୍ଡପରେ ସାତଫେରା ନେଇଥାନ୍ତା ବର । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । କନ୍ୟାର ମଣ୍ଡପ ସାମ୍ନାରେ ଚାଲିଗଲା ବରର ଜୀବନ । ପ୍ରୋସେସନ ସମୟରେ ମିରଟ ଆଡୁ ଆସୁଥିବା ଏକ କାର ବରଯାତ୍ରୀଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ବରଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୬ଜଣ ଆହତ ହୋଇଥିଲେ ।
ମୃତକଙ୍କ ମଧ୍ୟରେ ବରର ଭାଇ ଏବଂ ସମ୍ପର୍କୀୟମାନେ ରହିଥିଲେ । ତେବେ ଆହତମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ବିବାହ ମଣ୍ଡପରେ ଚାଲିଥିଲା ହସଖୁସି ହଠାତ କାନ୍ଦବୋବାଳିରେ ପରିଣତ ହୋଇଥିଲା । ସ୍ଥାନୀୟ ଲୋକେ କାର ଡ୍ରାଇଭରକୁ ଗିରଫ କରି ପୋଲିସର ଜିମା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ଶୋଭାଯାତ୍ରା ଚାଲିଥିବା ବେଳେ ହଠାତ କାରଟି ଭୁଲ ଦିଗରେ ମାଡି ଆସିଥିଲା । କାରର ବେଗ ଅଧିକା ରହିଥିବା ଯୋଗୁଁ ଲୋକଙ୍କ ଉପରେ ମାଡି ଯାଇଥିଲା ।"
ଅନ୍ୟପଟେ, ଆଲିଗଡର ଇଗଲାସ କ୍ଷେତ୍ର ଅଞ୍ଚଳର ମେରାନୀ ଚୌକୀ ଗ୍ରାମରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଏକ ଟ୍ରକକୁ ପଛପଟୁ ପିଟିଥିଲା ଏକ କାର । ଫଳରେ କାରରେ ରହିଥିବା ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାସହ ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଆହକଙ୍କୁ ଉଦ୍ଧାର କରାଯାଇ ଜେଏନ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ