ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାଜନିତ ତ୍ରୁଟି ପରେ ରାହୁଲ ଏପରି ଘଟଣାର ଶିକାର ହୋଇଛନ୍ତି । ରାହୁଲଙ୍କ ଲୁଧିଆନା ରାଲି ସମୟରେ ତାଙ୍କ ଚଳନ୍ତା କାର ଉପରକୁ ଜଣେ ଯୁବକ ପତାକା ଫିଙ୍ଗିଥିବା ଦେଖିବାକୁ ମିଳିଛି । ପୋଲିସ ଉକ୍ତ ଯୁବକକୁ କାବୁ କରି ଗିରଫ କରିଛି । ପଞ୍ଜାବର ହରଶିଲା ରେସର୍ଟ ନିକଟରେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ଏବେ ରାହୁଲଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଲୁଧିଆନା ଗସ୍ତରେ ଥିଲେ । ସେ ହଲୱାରାଠାରୁ ହାୟାତ ରିଜେନ୍ସି ପର୍ଯ୍ୟନ୍ତ ଯାତ୍ରା କରୁଥିଲେ । ତେବେ ତାଙ୍କ କାର ହରଶିଲା ରେସର୍ଟ ନିକଟରେ ପହଞ୍ଚିବା ସମୟରେ ଦଳର କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଏହି ସମୟରେ ରାହୁଲ ତାଙ୍କ କାରର କାଚକୁ ତଳକୁ କରିଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କ ଗାଡ଼ି ଉପରକୁ ପତାକା ଫିଙ୍ଗିଥିଲା ।
ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଉକ୍ତ ଯୁବକକୁ ସଙ୍ଗେ ସଙ୍ଗେ କାବୁ କରିଛି । ବରିଷ୍ଠ କଂଗ୍ରେସ ନେତା ସୁନିଲ ଜଖର କାର ଚାଳନା କରୁଥିବା ସମୟରେ ରାହୁଲଙ୍କ ସମେତ କାରରେ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ଓ PCC ମୁଖ୍ୟ ନବଜୋତ ସିଦ୍ଧୁ ରହିଥିଲେ । ଏହି ଘଟଣା ପରେ ରାହୁଲ କାରର କାଚକୁ ଉପରକୁ କରିଦେଇଥିବା ଦେଖିବାକୁ ମିଳିଥିଲା । ପତାକା ଫିଙ୍ଗିଥିବା ଯୁବକ ଜଣକ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ୍ ଇଣ୍ଡିଆ(NSUI)ର ଜଣେ କର୍ମୀ । ସେ ଜମ୍ମୁକାଶ୍ମୀରର ମୂଳ ବାସିନ୍ଦା ବୋଲି ବୋଲି ତଦନ୍ତ ପରେ ଜଣାପଡ଼ିଛି ।
ଏହି ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାଜନିତ ତ୍ରୁଟି ଘଟଣାକୁ ପୁଣି ମନେ ପକାଇ ଦେଇଛି । ମୋଦି ଗତ ଜାନୁଆରୀ ୫ ତାରିଖରେ ପଞ୍ଜାବର ଫେରୋଜପୁରକୁ ରାଲି କରିବା ପାଇଁ ଆସିଥିବା ସମୟରେ ଏପରି ଘଟଣାର ଶିକାର ହୋଇଥିଲେ । ଖରାପ ପାଣିପାଗ ଯୋଗୁଁ ସେ ବଠିଣ୍ଡାକୁ ରାସ୍ତା ଦେଇ ଯାଉଥିଲେ । ମାତ୍ର ରାସ୍ତା ବନ୍ଦ ଯୋଗୁଁ ମୋଦିଙ୍କୁ ଫେରୋଜପୁର ନିକଟ ଫ୍ଲାଏ ଓଭର ନିକଟରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ