ନୂଆଦିଲ୍ଲୀ: ବିମାନ ଭିତରେ ମଧ୍ୟ ସୁରକ୍ଷିତ ନୁହନ୍ତି ଯାତ୍ରୀ ! ବିମାନରେ ପକ୍ଷୀ ମାଡ ହେବା ଖବର ଆପଣ ଶୁଣିଥିବେ ହେଲେ ବିମାନରେ ଯାତ୍ରୀଙ୍କୁ କେବେ ବିଚ୍ଛା କାମୁଡିବା ଶୁଣିଛନ୍ତି କି ? ମଝି ଆକାଶରେ ବିମାନ ଭିତରେ ଯାତ୍ରୀଙ୍କୁ କାମୁଡିଲା ବିଛା । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ସତ । ନାଗପୁରରୁ ମୁମ୍ବାଇ ଯାଉଥିବା ସମୟରେ ମଝି ଆକାଶରେ ଯାତ୍ରୀଙ୍କୁ କାମୁଡି ଥିଲା ବିଛା । ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ ଏହି ଘଟଣାକୁ ସ୍ବୀକାର କରାଯାଇଛି ।
ଗତ ଏପ୍ରିଲ ୨୩ ତାରିଖରେ ନାଗପୁରରୁ ମୁମ୍ବାଇ ଅଭିମୁଖେ ବିମାନ ଉଡୁଥିବା ବେଳେ ମଝି ଆକାଶରେ ଏକ ମହିଳା ଯାତ୍ରୀଙ୍କୁ ବିଛା କାମୁଡି ଦେଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଆମେ ଅନେକ ସମୟରେ ବିମାନରେ ପକ୍ଷୀ ମାଡ, ସାପ ଏବଂ ମୂଷା ଦେଖାଯାଉଥିବା ଜାଣିଥିଲେ ହେଲେ ମଝି ଆକାଶରେ ବିଛା କାମୁଡିବା ବିରଳ ଘଟଣା ଅଟେ ।
ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, "ଏପ୍ରିଲ ୨୩ ତାରିଖରେ AI630 ଏୟାର ଇଣ୍ଡିଆ ବିମାନ ନାଗପୁରରୁ ଉଡାଣ ଭରିଥିବା ବେଳେ ମଝି ଆକାଶରେ ଯାତ୍ରୀଙ୍କ ସହ ବିରଳ ଅଘଟଣ ଘଟିଥିଲା । ମହିଳା ଯାତ୍ରୀଙ୍କୁ ଏକ ବିଛା କାମୁଡି ଦେଇଥିଲା । ଏହା ସତରେ ବିରଳ ଘଟଣା ଅଟେ । ତେବେ ମୁମ୍ବାଇରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ପ୍ରଥମେ ଏୟାରପୋର୍ଟରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ । ଏହାପରେ ତାଙ୍କୁ ସଙ୍ଗସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଲେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଏହି ଘଟଣା ପରେ ଏୟାର ଇଣ୍ଡିଆର ଇଞ୍ଜିନିୟରମାନେ ପୁରା ବିମାନରେ ଯାଞ୍ଚ କରିଥିଲେ । ଆମ ଟିମ ପ୍ରୋଟକଲ ମାନି ବିମାନର ଯାଞ୍ଚ କରି ବିଛାକୁ ଧରିଥିଲେ । ଏହାପରେ ସମ୍ପୂର୍ଣ୍ଣ ବିମାନକୁ ଶୋଧନ କରାଯାଇଥିଲା । ବିମାନରେ ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ।"
ପ୍ରକାଶଥାଉକି, ଗତ ଏପ୍ରିଲ ୬ ତାରିଖରେ ମଝି ଆକାଶରେ ବିମାନର କକପିଟ୍ରୁ ଏକ ବିଷଧର ସାପ ବାହାରି ଥିଲା । ୧୧ ଫୁଟ ଉଚ୍ଚରେ ଉଡୁଥିବା ବେଳେ ପାଇଲଟ ସାପକୁ ଦେଖିଥିଲେ । ହେଲେ ଭୟଭୀତ ନ ହୋଇ ସୁରକ୍ଷିତ ଭାବେ ବିମାନକୁ ଜରୁରୀ ଅବତରଣ କରିଥିଲେ ।