ଅମରାବତୀ: ଶିକ୍ଷକ ଏବଂ ସ୍କୁଲ୍ ପିଲାଙ୍କ ଦାୟିତ୍ବରେ ଥିବା ଆୟାଙ୍କ ଅବହେଳା ପାଇଁ ତିନି ଘଣ୍ଟା ଶ୍ରେଣୀଗୃହରେ ବନ୍ଦୀ ହେଲା ୬ ବର୍ଷର ଛାତ୍ର । ବାପା-ମାଆ ପିଲାକୁ ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ବନ୍ଦ ଗୃହରୁ ଉଦ୍ଧାର କଲେ । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଚେରୁଭୁ ଗ୍ରାମରେ ।
ସବୁଦିନ ପରି ସ୍ଥାନୀୟ ଅଞ୍ଚଳର ଚନ୍ଦୁ ସ୍କୁଲ୍ ଆସିଥିଲା, ମାତ୍ର ଘରକୁ ଫେରି ନ ଥିଲା । ସ୍କୁଲ୍ ଛୁଟି ସମୟ ଯାଇ, ସନ୍ଧ୍ୟା ହେବାରୁ ବାପା-ମାଆ ଚନ୍ଦୁକୁ ଖୋଜିଥିଲେ । ମାତ୍ର କେଉଁଆଡେ ପାଇନଥିଲେ । ଶେଷରେ ସ୍କୁଲକୁ ଆସି ଦେଖିବା ପରେ ଚନ୍ଦୁ ବନ୍ଦ ଘରେ କାନ୍ଦୁ ଥିବାର ଦେଖିବାକୁ ପାଇଥିଲେ । ବିବ୍ରତ ହୋଇ ଆୟାକୁ ଡାକିବାରୁ ସେ ପହଞ୍ଚି ତାଲା ଖୋଲିଥିଲେ ।
ସେତବେଳକୁ ତିନି ଘଣ୍ଟା ହେବ ଶ୍ରେଣୀ ଗୃହରେ ବନ୍ଦୀ ଅବସ୍ଥାରେ ରହି ସାରିଥିଲା ଚନ୍ଦୁ । ତେବେ ସ୍କୁଲ୍ ଶିକ୍ଷକ ଏବଂ ଆୟାଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ଚନ୍ଦୁ ବାପା-ମାଆ ଏବଂ ଗ୍ରାମବାସୀ । ତେବେ ସ୍କୁଲକୁ ପ୍ରତିଦିନ ଶହ ଶହ ପିଲା ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପିଲାମାନଙ୍କ ଦାୟିତ୍ବରେ ଥିବା ପ୍ରତ୍ୟେକ କର୍ମଚାରୀ ଯତ୍ନବାନ ହେବା ଉଚିତ୍। କାରଣ ସ୍କୁଲ୍ ସମୟରେ କୌଣସି ପିଲା ସହ ଅଘଟଣ ଘଟିଲେ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ପ୍ରତ୍ୟେକ କର୍ମଚାରୀଙ୍କୁ ସ୍ପଷ୍ଟୀକରଣ ରଖିବାକୁ ପଡିବ । ଏଥିପାଇଁ ସମସ୍ତଙ୍କୁ ସଚେତନ ଏବଂ ଦାୟିତ୍ବବାନ ହେବା ଉଚିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ