ଚଣ୍ଡିଗଡ: ପଞ୍ଜାବର ଅମୃତସରରେ ଥିବା ଏକ ସ୍କୁଲରେ ବୋମାମାଡ ପାଇଁ ଧମକ ମିଳିବା ଘଟଣା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଛି (School Receives Bomb Threat gone false)। ଏପରି ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ପୋଲିସ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ କରିଥିଲା । ତେବେ ତଦନ୍ତ ପରେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଛି । ଏହା ପଛରେ କୌଣସି ଦୁର୍ବୃତ୍ତ ନୁହେଁ ବରଂ ଉକ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ବଦମାସୀ ସାମ୍ନାକୁ ଆସିଛି (School Receives Bomb Threat) । ଅନ୍ୟ ଏକ ସମାନ ଘଟଣା ମଧ୍ୟ ପଞ୍ଜାବର ସ୍ପ୍ରିଙ୍ଗଡାଲେ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା । ସ୍କୁଲକୁ ବମରେ ଉଡାଇ ଦିଆଯିବା ନେଇ ଧମକ ମିଳିବା ପରେ ଅଭିଯୋଗ ପୋଲିସ ନିକଟରେ ପହଞ୍ଚିଥିଲା । ସ୍କୁଲ ପରି ଏକ ସମ୍ବେଧନଶୀଳ ସ୍ଥାନରେ ଏପରି ଆକ୍ରମଣ ଧମକକୁ ଅତି ଗମ୍ଭୀରତା ସହ ନେଇ ପୋଲିସ ତୁରନ୍ତ ସେଠାରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତର ଫଳାଫଳ ସମସ୍ତଙ୍କୁ ଚକିତ କରିଛି ।
ସୂଚନା ଅନୁସାରେ, ଏହି ଧମକପୂର୍ଣ୍ଣ ସୂଚନାଟି ସୋସିଆଲ ମିଡିଆ ମାଧ୍ୟମରେ ଆସିଥିଲା । ପୋଲିସ ଉକ୍ତ ବାର୍ତ୍ତାକୁ ଯାଞ୍ଚ କରିବା ପରେ ଏପରି କରିଥିବା ଦୁଇ ଜଣଙ୍କୁ ଚିହ୍ନଟ କରିଥିଲା । ପରେ ଜଣଙ୍କୁ ଗିରଫ କରାଯିବା ସହ ଏହି ପ୍ରସଙ୍ଗରେ ପୋଲିସ ଅଭିଭାବକମାନଙ୍କ ସହ ଆଲୋଚନା ମଧ୍ୟ କରିଛି । ପିଲାଙ୍କୁ ସ୍ମାର୍ଟଫୋନ ଦେଇ ସ୍କୁଲ ନପଠାଇବା ସହ ସେମାନଙ୍କ ଗତିବିଧି ନେଇ ଯତ୍ନଶୀଳ ହେବା ପାଇଁ ପୋଲିସ ପରାମର୍ଶ ଦେଇଥିବା ମଧ୍ୟ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ