ଚେନ୍ନାଇ: 17 ବର୍ଷର ନାବାଳକୁ ବିବାହ କଲେ ଜଣେ 26 ବର୍ଷୀୟ ଯୁବତୀ। ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ଦେଖିବାକୁ ମିଳିଛି ତାମିଲନାଡ଼ୁର ତ୍ରିଚିରେ । ଏହି ଅଭିଯୋଗରେ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ପୋଲିସ।
ଘଟଣା ମୁତାବକ ଥୁରାୟୁରର ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ 17 ବର୍ଷୀୟ ନାବାଳକ ଗତ 5 ତାରିଖ ଦିନ ନିଖୋଜ ହୋଇଯାଇଥିଲେ। ପୁଅର ନିଖୋଜ ଘଟଣା ନେଇ ତାଙ୍କ ପରିବାର ଲୋକେ ଥୁରାୟୁର ଥାନାରେ ଅଭିଯୋଗ କରିଥିଲେ। ଘଟଣା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଲା। ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀ 26 ବର୍ଷୀୟ ଶର୍ମିଳା ମଧ୍ୟ ନିଖୋଜ ଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ଶିକ୍ଷୟିତ୍ରୀଙ୍କ ମାଆଙ୍କୁ ପଚରାଉଚରା କରିଥିଲା।
ଶର୍ମିଳା ସବୁବେଳେ ତାଙ୍କ ଛାତ୍ରମାନଙ୍କ ସହ କଥା ହୁଅନ୍ତି ଏବଂ ଯେତେ ବାରଣ କଲେ ମଧ୍ୟ ସେ ଶୁଣନ୍ତି ନାହିଁ ବୋଲି ପରବାର ପୋଲିସକୁ ଜଣାଇଥିଲେ। ଅନ୍ୟପଟେ ପୋଲିସ ଶର୍ମିଳାଙ୍କ ଫୋନ ଯାଞ୍ଚ କରିଥିଲା। ଯାଞ୍ଚ ପରେ ଶର୍ମିଳା ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ଜଣାପଡ଼ିଥିଲା। ସେ ପ୍ରଥମେ ଭେଲାଙ୍କାନି, ଥିରୁଭରୁର, ଥାଞ୍ଜାଭୁର ଓ ପରେ ତ୍ରିଚିରେ ରହିଥିବା ପୋଲିସକୁ ସୂଚନା ମିଳିଥିଲା।
ଗତକାଲି (ଶୁକ୍ରବାର) ତ୍ରିଚିର ଇଡାମାଲାପାଟୀ ପୁଥୁରରେ ଶିକ୍ଷୟିତ୍ରୀଙ୍କ ଫୋନକୁ ଟ୍ରାକ କରି ତାଙ୍କ ପାଖରେ ପହଞ୍ଚିବା ପାଇଁ ସଫଳ ହୋଇଥିଲା ପୋଲିସ। ସେଠାରେ ଶର୍ମିଳା ଜଣେ ବନ୍ଧୁଙ୍କ ଘରେ ନିଖୋଜ ଛାତ୍ରଙ୍କ ସହ ରହୁଥିବା ଦେଖିବାକୁ ମିଳିଥିଲା। ତେବେ ଶିକ୍ଷୟିତ୍ରୀ ଜଣକ ଉକ୍ତ ନାବାଳକକୁ ବିବାହ କରିଥିବା ଜଣାପଡ଼ିଛି। ପୋସ୍କୋ ଆକ୍ଟ ଅନୁଯାୟୀ ଜଣେ ନାବାଳକକୁ ଅପହରଣ ଓ ବିବାହ ଅଭିଯୋଗରେ ଶର୍ମିଳାଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ପୋଲିସ ଉଦ୍ଧାର ଛାତ୍ରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଶର୍ମିଳାଙ୍କୁ ତ୍ରିଚି କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ