ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟ ଅନୁମୋଦନ ଦେଇଛନ୍ତି । ସେପ୍ଟେମ୍ବର 15-16 ମଧ୍ୟରାତ୍ରି ପର୍ଯ୍ୟନ୍ତ ସଞ୍ଜୟ ଏହି କେନ୍ଦ୍ରୀୟ ସଂସ୍ଥାର ନିର୍ଦ୍ଦେଶକ ଦାୟିତ୍ବରେ ରହିବେ । ପରେ ତାଙ୍କୁ ଆଉ ସୁଯୋଗ ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଆଜି ସର୍ବୋଚ୍ଚ କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ଜୁଲାଇ 11ରେ ଏହି ମାମଲାରେ ଶୁଣାଣି କରି କୋର୍ଟ ସଞ୍ଜୟଙ୍କ କାର୍ଯ୍ୟକାଳ ବୃଦ୍ଧିଙ୍କୁ ବେଆଇନ ଦର୍ଶାଇବା ସହ ଚଳିତମାସ (ଜୁଲାଇ) 31 ତାରିଖ ସୁଦ୍ଧା ସଞ୍ଜୟ ମିଶ୍ରଙ୍କୁ ଦାୟିତ୍ବରୁ ଅବସର ଦେବା ପାଇଁ କହିଥିଲେ । ଏହି ଅବଧି ମଧ୍ୟରେ କେନ୍ଦ୍ର ସରକାର ପରବର୍ତ୍ତୀ ନିର୍ଦ୍ଦେଶକ ଚୟନ କରିବା ପାଇଁ କୋର୍ଟ କହିଥିଲେ । ଆଜି କୋର୍ଟ ସରକାରଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ଅନୁମୋଦନ ଦେବା ସହ ସଞ୍ଜୟ ମିଶ୍ର ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିପାରିବୋ ବୋଲି ସ୍ପଷ୍ଟ କରିଛନ୍ତି ।
2018ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିବା ସଞ୍ଜୟଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର 3ଥର ବୃଦ୍ଧି କରିସାରିଛନ୍ତି । ତୃତୀୟ ଥରରେ ଏହାକୁ ସପ୍ଟେମ୍ବର 16 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସର୍ବୋଚ୍ଚ କୋର୍ଟ ଏହି ତୃତୀୟ ବୃଦ୍ଧିକୁ ବେଆଇନ୍ ଦର୍ଶଇବା ସହ ଚଳିତମାସ (ଜୁଲାଇ) 31 ସୁଦ୍ଧା ସଞ୍ଜୟ ମିଶ୍ରଙ୍କୁ ଦାୟିତ୍ବରୁ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ କହିଥିଲେ । ଆଜି ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ, ସାର୍ବଜନୀନ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଧିକାରୀ ମିଶ୍ରଙ୍କୁ ସଂସ୍ଥାର ସର୍ବୋଚ୍ଚ ପଦରେ ସପ୍ଟେମ୍ବର 15 ଯାଏଁ ରହିବା ପାଇଁ ଅନୁମତି ପ୍ରଦାନ କରାଯାଉଛି । ହେଲେ ଏହାପରେ ଏହି ସମ୍ପର୍କିତ କୌଣସି ମାମଲାକୁ କୋର୍ଟ ଗ୍ରହଣ କରିବେ ନାହିଁ । ସରକାର ତାଙ୍କୁ ଅବସର ଦେଇ ନୂଆ ନିର୍ଦ୍ଦେଶକ ନିଯୁକ୍ତ କରିବେ ।
ଜଷ୍ଟିସ ବି.ଆର ଗାଭାଇ ପ୍ରଶ୍ନ କରିଥିଲେ, ଏତେ ବଡ଼ ଏଜେନ୍ସିରେ କେବଳ ଜଣେ ଯୋଗ୍ୟ ଅଧିକାରୀ ଅଛନ୍ତି କି ? ବାକି ଅଧିକାରୀମାନେ ଆଦୌ ଯୋଗ୍ୟ ନୁହଁନ୍ତି କି ? ସର୍ବୋଚ୍ଚ କୋର୍ଟରେ ମଧ୍ୟ ପ୍ରଧାନ ବିଚାରପତିମାନେ ପରିବର୍ତ୍ତନ ହେଉଛନ୍ତି । ତେବେ ଜଣେ ଅଧିକାରୀଙ୍କ କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି କରିବାର ଆବଶ୍ୟକତା କ‘ଣ । ଖଣ୍ଡପୀଠଙ୍କ ଏହି ପ୍ରଶ୍ନରେ ସରକାରୀ ପକ୍ଷରୁ ଉତ୍ତର ରଖୁଥିବା ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ଜବାବରେ କହିଥିଲେ, ସଞ୍ଜୟ ମିଶ୍ରଙ୍କର ଫିନାନସିଆଲ ଆକ୍ସନ୍ ଟାସ୍କଫୋର୍ସ (FAFT) ସମ୍ବନ୍ଧୀୟ ପ୍ରସଙ୍ଗରେ ପାରଦର୍ଶିତା ରହିଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି । କୋର୍ଟ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ସଞ୍ଜୟ ମିଶ୍ରଙ୍କୁ ଦାୟିତ୍ବରେ ରହିବା ପାଇଁ ଅନୁମତି ଦେଇଥିଲେ ହେଁ ଏହା ପରେ ଆଉ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ଅଗଷ୍ଟ 2ରୁ ଧାରା 370 ଶୁଣାଣି କରିବେ ସୁପ୍ରିମକୋର୍ଟ
2018ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଭାବେ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀ ସଞ୍ଜୟ କୁମାର ମିଶ୍ରା ପ୍ରଥମେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କର କାର୍ଯ୍ୟକାଳ 2 ବର୍ଷ ଅର୍ଥାତ ନଭେମ୍ବର 2020ରେ ଶେଷ ହେଉଥିଲା । ସେତେବେଳେକୁ ସେ ଅବସର ବୟସ ସୀମା (60 ବର୍ଷ) ରେ ପହଞ୍ଚି ମଧ୍ୟ ସାରିଥିଲେ । 2020 ନଭେମ୍ବର 13 ତାରିଖରେ କେନ୍ଦ୍ର ସରକାର ଏକ ଅଫିସ ଅର୍ଡର ଜାରି କରିଥିଲେ । ପରେ ତାଙ୍କ କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହାକୁ ଏକାଧିକ ଆବେଦନକାରୀ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ