ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମଜସିଦର ନିଷେଧାଞ୍ଚଳରେ ଥିବା ଏକ ପାଣିଟାଙ୍କି ସଫା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । 2022 ମସିହା ମେ’ ମାସ 16 ତାରିଖରେ ବାରାଣସୀ ସିଭିଲ କୋର୍ଟ ମସଜିଦର ଯେଉଁ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ, ସେହି ସ୍ଥାନରେ ରହିଛି ଏହି ପାଣିଟାଙ୍କି । ତେବେ ଏହି ପାଣିଟାଙ୍କିର ରକ୍ଷେଣାବେକ୍ଷଣା ଓ ସଫେଇ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେବା ପାଇଁ 4 ଜଣ ହିନ୍ଦୁ ମହିଳା ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟ ହେବା ସହ ଏହି ଟାଙ୍କି ସଫେଇକୁ ଅନୁମତି ମଧ୍ୟ ମିଳିଛି ।
ଆଜି ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ 3ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ସର୍ବୋଚ୍ଚ କୋର୍ଟ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ବାବଧାନରେ ସଫେଇ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି । ଆଇନଜୀବୀ ହୁଜେଫା ଅହମ୍ମଦି ମୁସଲିମ ପକ୍ଷରୁ ଆଜି ମାମଲା ପରିଚାଳନା କରିଥିଲେ । ସେ ତାଙ୍କପକ୍ଷରୁ ଏହି ଅନୁମତି ପ୍ରସଙ୍ଗରେ କୌଣସି ଆପତ୍ତି ନଥିବା କୋର୍ଟଙ୍କୁ ସ୍ପଷ୍ଟ କରିଥିଲେ ।
ଗତବର୍ଷ ଭିଡିଓଗ୍ରାଫି ସର୍ଭେ ବେଳେ ମଜସିଦ କମ୍ପଲେକ୍ସରେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ବାରା କରାଯାଇଥିଲା । କୋର୍ଟ ଏହି ଏହି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ । ହେଲେ ଏହି ମାମଲାରେ କଥାକଥିତ ଶିବଲିଙ୍ଗର ଚର୍ତୁପାର୍ଶ୍ବ ଓ ଏହାର ପାର୍ଶ୍ବବର୍ତ୍ତୀ ଏରିଆରେ ଥିବା ପାଣିଟାଙ୍କି ସଫେଇକୁ ଅନୁମତି ଦେବା ପାଇଁ ପରବର୍ତ୍ତୀ ସମୟରେ ଆଉ ଏକ ମାମଲା ସର୍ବୋଚ୍ଚକୋର୍ଟରେ ପହଞ୍ଚିଥିଲା । ଯାହାର ରାୟ ଆଜି ପ୍ରକାଶ ପାଇଛି । ଆଜି କୋର୍ଟଙ୍କ ରାୟକୁ ହିନ୍ଦୁପକ୍ଷ ସ୍ବାଗତ କରିଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବବାଧାନରେ ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଏହା ମଧ୍ୟ ପଢନ୍ତୁ :- ସପତ୍ନୀକ ସୁନ୍ଦରାକାଣ୍ଡ ପାଠ କଲେ କେଜ୍ରିଓ୍ବାଲ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାରାଣାସୀ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଏହି ମସଜିଦ ହିନ୍ଦୁ ମନ୍ଦିରର ମୂଳଢାଞ୍ଚା ଉପରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ମସଜିଦ ପରିସର ମଧ୍ୟରେ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଥିବା ଦାବି ହୋଇଛି । ପୂର୍ବରୁ ଏହି ମସଜିଦ ମଧ୍ୟରେ ଭିଡିଓ ସର୍ଭେ ଓ କାର୍ବନଡେଟିଂ ସର୍ଭେ ମଧ୍ଯ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ