ଭୋପାଳ: ଦୀର୍ଘ ୧୫ ଘଣ୍ଟା ଧରି ହୁତୁ ହୁତୁ ହୋଇ ଜଳୁଥିବା ମଧ୍ୟପ୍ରଦେଶ ସାତପୁରା ଭବନର ନିଆଁ ଆୟତ୍ତ ହୋଇଛି । ନିଆଁକୁ କାବୁ କରିବାରେ ଅଗ୍ନିଶମ ବାହିନୀ ନାକେଦମ ହେବା ପରେ ସିଆଇଏସଏଫ, ସେନା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ବିଳମ୍ବିତ ରାତିରେ ବାୟୁସେନାର AN ୩୨ ଓ MI-୧୫ ହେଲିକପ୍ଟର ମଧ୍ୟ ଭୋପାଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ତେବେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରାଯାଇ ପାରିଛି । ଯଦିଓ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି, ହେଲେ ତିନୋଟି ମହଲା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଥିବା ବହୁ ସରକାରୀ କାଗଜପତ୍ର ପୋଡି ଜଳି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏହାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।
ଭୋପାଳ ପୋଲିସ କମିଶନର ହରିନାରାୟଣ ଚାରି ମିଶ୍ର କହିଛନ୍ତି, "ନିଆଁକୁ ଆୟତ୍ତ କରାଯାଇଛି । କିନ୍ତୁ ବିଭିନ୍ନ ସ୍ଥାନରୁ ଏବେ ବି ଧୂଆଁ ଉଠିଥିବାରୁ ପୁଣିଥରେ ନିଆଁ ଲାଗିବାର ଆଶଙ୍କା ରହିଛି । ଏହା ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିକାଣ୍ଡର କାରଣ ଜାଣିବାକୁ ଏକ ଏକ୍ସପର୍ଟ ଟିମ୍ ଗଠନ ହୋଇଛି । ପ୍ରଥମେ ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲଗାଥିଲା । କ୍ରମଶଃ ଏହା ଷଷ୍ଠ ମହଲାକୁ ବ୍ୟାପି ଯାଇଥିଲା ।"
ସାତପୁରା ଭବନରେ ତୃତୀୟ ମହଲାରୁ ଷଷ୍ଠ ମହଲା ମଧ୍ୟରେ ରାଜ୍ୟ ସରକାରଙ୍କ ତିନୋଟି ଗୁରୁତ୍ବପୂର୍ଣ୍ଣ ବିଭାଗ ସ୍ବାସ୍ଥ୍ୟ ବିଭାଗ, ଆଦିମ ଜନଜାତି କଲ୍ୟାଣ ବିଭାଗ ଓ ପରିବାହନ ବିଭାଗ କାର୍ଯ୍ୟାଳୟ ରହିଛି । ଅଗ୍ନିକାଣ୍ଡ ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନିଆଁରେ ନଷ୍ଟ ହୋଇଯାଇଛି । ଗତକାଲି ଅପରାହ୍ନ ୪ଟାରେ ପ୍ରଥମେ ତୃତୀୟ ମହଲାରେ ନିଆଁ ଲାଗିବା ପରେ ଏହା ଷଷ୍ଠ ମହଲାକୁ ବ୍ୟାପି ଯାଇଥିଲା । ଖବର ପାଇ ଏକାଧିକ ଦମକଳ ଗାଡି, ଟ୍ୟାଙ୍କର ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା ।
ଅଗ୍ନିଶମ ବିଭାଗ ଏହାକୁ ଆୟତ୍ତ କରିବାରେ ବିଫଳ ହେବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇ ସେନା ଓ ଏୟାରଫୋର୍ସର ସହାୟତା ଲୋଡିଥିଲେ । ଏହାପରେ ବାୟୁସେନାର AN ୩୨ ଓ MI-୧୫ ହେଲିକପ୍ଟର ଘଟଣାସ୍ଥଳକୁ ପଠାଯାଇଥିଲା । ମୁଖ୍ୟମନ୍ତ୍ରୀ ଚୌହାନ ଫୋନ କରି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଅବଗତ କରିଥିଲେ । ସମସ୍ତ ପ୍ରକାର ସହୟତା ଯୋଗାଇ ଦେବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ ।