ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି(ଗୁରୁବାର) ‘ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆନ୍ତର୍ଜାତୀୟ ଶାନ୍ତି ସୁରକ୍ଷା’ କିଭଳି ବିପଦରେ ତାହାର ବିସ୍ତୃତ ତଥ୍ୟ ରଖିବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ । ଚଳିତ ମାସ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଛି । ଫଳରେ ଆଜି ହେବାକୁ ଥିବା ବୈଠକରେ ବୈଦେଶିକ ମନ୍ତ୍ରୀ ଅଧ୍ୟକ୍ଷତା କରିବେ ।
ଏହା ପୂର୍ବରୁ ବୁଧବାର ଜାତିସଂଘର ଏକାଧିକ ବୈଠକରେ ଭାଗନେଇ ଜୟ ଶଙ୍କର କହିଥିଲେ ଯୁଦ୍ଧଗ୍ରସ୍ତ ଆଫଗାନ ସମେତ ବିଶ୍ବର ଅନ୍ୟ ରାଷ୍ଟ୍ରରୁ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସମସ୍ତ ପଦକ୍ଷେପ ନେଉଛି । କାବୁଲ ସ୍ଥିତି ଉପରେ ନୂଆଦିଲ୍ଲୀର କଡା ନଜର ରହିଛି । ବୁଧବାର ଜତିସଂଘ ସୁରକ୍ଷା ପରିଷଦର ଶାନ୍ତି ରକ୍ଷା ବୈଠକରେ ଖୋଲା ବିତର୍କରେ ଅଧ୍ୟକ୍ଷତା କରି ଜୟଶଙ୍କର ଏହା କହିଛନ୍ତି । ସେହିପରି ବିତର୍କରେ ଆଫଗାନ ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଆଫଗାନ ନାଗରିକଙ୍କ ସୁରକ୍ଷା ନେଇ ଜାତିସଂଘ ମହାସଚିବ ଓ ଆମେରିକା ପ୍ରତିପକ୍ଷଙ୍କ ସହ ଆଲୋଚନା ଜାରି ରଖିଥିବା କହିଛନ୍ତି ।
ଅନ୍ୟପଟେ ଆଫଗାନରେ ଭାରତର ନିବେଶକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆଫଗାନ ସହ ଭାରତର ସମ୍ପର୍କ ଅତି ପୁରୁଣା ଥିଲା । ଆଫଗାନ ବିକାଶ ପାଇଁ ଭାରତ ପ୍ରତିଶୃତିବଦ୍ଧ ଥିଲା । ବର୍ତ୍ତମାନ ସ୍ଥିତିରେ ସେହି ସମ୍ପର୍କ ବଢାଇବା ସମ୍ଭବ ନୁହେଁ । ଏବେ ଆମର କେବଳ ଗୋଟିଏ ଉଦ୍ଦେଶ୍ୟ ଆମ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ବୋଲି କହିଛନ୍ତି ଜୟଶଙ୍କର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ