କିଭ୍: ୟୁକ୍ରେନ ରାଜଧାନୀ କିଭକୁ କବ୍ଜା କରିବାକୁ ଜୋରଦାର ଆକ୍ରମଣ କରୁଛି ଋଷ । ଯୁଦ୍ଧ ସମୟରେ ଆଉ ଜଣେ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଗୁଳିବର୍ଷଣ ଚାଲିଥିବାବେଳେ କିଭ୍ରେ ଭାରତୀୟ ଛାତ୍ର ଆହତ ହୋଇଛନ୍ତି । ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ପୋଲାଣ୍ଡରୁ ଆଜି ଏହି ସୂଚନା ଦେଇଛନ୍ତି ।
ଭି.କେ ସିଂହ କହିଛନ୍ତି, ଛାତ୍ରଙ୍କ ଶରୀରରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ କିଭ୍ର ମେଡିକାଲରେ ଭର୍ତ୍ତି କରାଯାଇଛି । ଯଥାଶୀଘ୍ର କିଭ୍ ଛାଡିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ପୂର୍ବରୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ଯୁଦ୍ଧ ସମୟରେ ବନ୍ଧୁକରୁ ବାହାରୁଥିବା ଗୁଳି କାହାର ଧର୍ମ ଏବଂ ନାଗରିକତା ଦେଖେ ନାହିଁ । ଭାରତୀୟ ଛାତ୍ରଛାତ୍ରୀ ଏବେ ଯୁଦ୍ଧ ଗ୍ରସ୍ତ ୟୁକ୍ରେନ ଛାଡି ସୁରକ୍ଷିତ ଭାବେ ଭାରତ ଫେରିବା ପାଇଁ ପୋଲାଣ୍ଡ ସୀମା ମୁହାଁ ହୋଇଛନ୍ତି ।
ପ୍ରକାଶଥାଉ କି, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜ୍ଜୁଜୁ ଏବଂ ଭିକେ ସିଂହ ୟୁକ୍ରେନ ସୀମାନ୍ତ ରାଷ୍ଟ୍ରରେ ରହି ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ୟୁକ୍ରେନର ଆକାଶ ପଥ ବନ୍ଦ ଥିବା ଯୋଗୁଁ ଏହାର ପଡୋଶୀ ରାଷ୍ଟ୍ର ଦେଇ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି ।
@ANI