ନୂଆଦିଲ୍ଲୀ: କେନ୍ଦ୍ରର କଡା ପଦକ୍ଷେପ ପରେ ମୋହନ ଭାଗବତ ସମେତ ବହୁ ଆରଏସଏସ ନେତାଙ୍କ ବ୍ଲୁ ଟିକ ଫେରାଇଲା ଟ୍ବିଟର । ଆଜି ଟ୍ବିଟର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ ହଟାଇଥିଲା ଏହା ପରେ ଭାରତ ସରକାରଙ୍କ ପ୍ରତିକ୍ରିୟା ପରେ ବ୍ଲୁ ଟିକ ପୁନଃ ଅବସ୍ଥାପନା କରିଥିଲା ଟ୍ବିଟର ।
ସୋସିଆଲ ନେଟୱାର୍କିଂ ସାଇଟ ଟ୍ବିଟର ଭାରତରେ ବିବାଦୀୟ ପରସ୍ଥିତି ସୃଷ୍ଟି କରୁଛି । ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି ଟ୍ବିଟର । କେତେବେଳେ ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ବ୍ଲୁ ଟିକ ହଟାଉଛି ତ କେତେବେଳେ ଆରଏସଏସ ନେତାଙ୍କ ବ୍ଲୁ ଟିକ ହଟାଉଛି ଟ୍ବିଟର । ଏହାକୁ ନେଇ ଆଜି କେନ୍ଦ୍ର ସରକାର କଡା ପଦକ୍ଷେପ ନେବା ପରେ ବାଟକୁ ଆସିଛି ଟ୍ବିଟର । କିଛି ସମୟ ମଧ୍ୟର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସଭାପତି ମୋହନ ଭାଗବତଙ୍କ ବ୍ଲୁ ଟିକ ଫେରାଇବା ସହ ଆରଏସଏସ ନେତା ଅରୁଣ କୁମାର, ସୁରେଶ ଯୋଶୀ ଓ କୃଷ୍ଣାଗୋପାଳଙ୍କ ବ୍ଲୁ ଟିକ ଫେରାଇଛି ଟ୍ବିଟର ।
ଆଜି କେନ୍ଦ୍ର ସରକାର ଟ୍ବିଟରକୁ ଦେଶରେ ଲାଗୁ ହୋଇଥିବା ନୂତନ ଆଇଟି ନିୟମକୁ ଅନୁପାଳନ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛି । ଯଦି ଏହି ନିୟମ ଅନୁପାଳନ କରିବା ପାଇଁ ବିରୋଧ କରେ ତେବେ ଆଇଟି ଆଇନ ଅନୁଯାୟୀ ଦଣ୍ଡବିଧାନକ ବ୍ୟବସ୍ଥା କରାଯିବ ବୋଲି ଚେତାବନୀ ଦେଇଛି କେନ୍ଦ୍ର ।