ସିମଲା: ହିମାଚଳ ପ୍ରଦେଶରେ କଂଗ୍ରେସ ନୂଆ ସରକାର ଗଠନ କରିଛି । ହେଲେ ଏବେ କ୍ୟାବିନେଟର ସମ୍ପ୍ରସାରଣ ହୋଇ ନାହିଁ । ସିମଲାର ରାଜ୍ୟ ସଚିବାଳୟରେ ଏହି ସରକାରର ମନ୍ତ୍ରୀମାନଙ୍କ ପାଇଁ କୋଠରୀ ପ୍ରସ୍ତୁତ କରାଯାଉଛି । ଏହି ସମୟରେ ଚର୍ଚ୍ଚାକୁ ଆସିଛି ହିମାଚଳ ସଚିବାଳୟର ଏକ କୋଠରୀ (Curse of room number 202 in Himachal Pradesh) । ଯେଉଁଠାରେ ବସିବା ଲାଗି ଅମଙ୍ଗ ହୋଇଥାନ୍ତି ସବୁ ମନ୍ତ୍ରୀ । ଏହାର କାରଣ ଜାଣିବାକୁ ଆପଣଙ୍କ ମନରେ ମଧ୍ୟ କୌତୁହଳ ଜାତ ହେବା ସ୍ବାଭାବିକ । ଏହି କୋଠରୀ ଯେଉଁ ମନ୍ତ୍ରୀଙ୍କ ଭାଗରେ ପଡ଼ିଥାଏ ସେହି ମନ୍ତ୍ରୀ ଜଣକ ଆଗାମୀ ନିର୍ବାଚନରେ ହାରିବା ସୁନିଶ୍ଚିତ ହୋଇଯାଏ । ଗତ ୨୪ ବର୍ଷ ଧରି ଏହା ଘଟି ଆସୁଛି ।
![ଅଭିଶପ୍ତ ରୁମ ନମ୍ବର ୨୦୨](https://etvbharatimages.akamaized.net/etvbharat/prod-images/hp-sml-01-secretariat-202-room_13122022111515_1312f_1670910315_1024.jpg)
ଅଭିଶପ୍ତ ରୁମ ୨୦୨:-
ସିମଲା ସ୍ଥିତ ହିମାଚଳ ପ୍ରଦେଶ ସଚିବାଳୟର ରୁମ୍ ନମ୍ବର ୨୦୨ ପୁଣିଥରେ ଚର୍ଚ୍ଚାକୁ ଆସିଛି (Room number 202 in Himachal pradesh secretariat) । ସଚିବାଳୟର ଦ୍ବିତୀୟ ମହଲାରେ ଥିବା ଏହି କୋଠରୀ ମନ୍ତ୍ରୀମାନଙ୍କ ପାଇଁ ଅଭିଶାପ ବୋଲି ପ୍ରମାଣିତ ହୋଇଛି । ତେବେ ମନ୍ତ୍ରୀ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ୧୯୯୮ ମସିହାରୁ ଏହି କୋଠରୀ ପାଇଥିବା ମନ୍ତ୍ରୀ ପରବର୍ତ୍ତୀ ସମୟରେ ମଧ୍ୟ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇନାହାଁନ୍ତି । ଏହି କୋଠରୀରେ ଯେଉଁ ବିଧାୟକ ରହିଥାନ୍ତି ପରବର୍ତ୍ତୀ ନିର୍ବାଚନରେ ସେ ହାରିଥାନ୍ତି । ଏଭଳି ଗତ ୨୪ ବର୍ଷ ଧରି ହୋଇ ଆସୁଛି । ଏହି କୋଠରୀରେ ବସିଥିବା ମନ୍ତ୍ରୀ ତାଙ୍କ ବିଧାୟକ ପଦ ହରାଇଥିବା ନଜିର ରହିଛି ।
![ହିମାଚଳ ସଚିବାଳୟର ଅଭିଶପ୍ତ କୋଠରୀ ୨୦୨, ବସିବାକୁ ଅମଙ୍ଗ ହୁଅନ୍ତି ସମସ୍ତ ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/17191565_image1.jpg)
ଚଳିତ ନିର୍ବାଚନରେ ହାରିଥିବା ବିଧାୟକ:-
ବିଧାୟକ ରାମଲାଲ ମାର୍କଣ୍ଡାଙ୍କୁ ଜୟରାମ ସରକାରରେ ଆଦିବାସୀ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା । କ୍ୟାବିନେଟ ମନ୍ତ୍ରୀ ଭାବରେ ତାଙ୍କୁ ୨୦୨ ରୁମ୍ ନମ୍ବର ମଧ୍ୟ ଦିଆଯାଇଥିଲା (Story of Room 202 of HP Secretariat) । ସେହି ସମୟରେ ମଧ୍ୟ ଏହି କୋଠରୀର ଅଭିଶାପ ବିଷୟରେ ଅନେକ ଆଲୋଚନା ହୋଇଥିଲା । ତା' ପରେ ସେ କହିଥିଲେ ଯେ ଏପରି ଅଭିଶାପ କିମ୍ବା ଇତିହାସରେ ସେ ବିଶ୍ବାସ କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନର ନିର୍ବାଚନରେ ସେ ୧୬୧୬ ଭୋଟରେ କଂଗ୍ରେସର ରବି ଠାକୁରଙ୍କ ଠାରୁ ପରାସ୍ତ ହୋଇଛନ୍ତି ଏବଂ ରୁମ୍ ନମ୍ବର ୨୦୨ର ଅଭିଶାପ ଏଥର ମଧ୍ୟ ଜାରି ରହିଛି ।
ଜେପି ନଡ୍ଡା ମଧ୍ୟ ଭୋଗିଥିଲା ସମାନ ଦଶା:-
ରାମଲାଲ ମାର୍କଣ୍ଡା ଏହି କୋଠରୀରେ ବସି ନିର୍ବାଚନରେ ହାରିଥିବା ଜଣେ ମନ୍ତ୍ରୀ ନୁହଁନ୍ତି । ୧୯୯୮ ମସିହାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୯୯୮ ମସିହାରେ ବିଲାସପୁରରୁ ଦ୍ବିତୀୟ ଥର ପାଇଁ ନିର୍ବାଚନରେ ଜିତିଥିବା ଜେପି ନଡ୍ଡାଙ୍କୁ ଧୁମଲ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା । ରୁମ୍ ନମ୍ବର ୨୦୨ ମଧ୍ୟ ଜେପି ନଡ୍ଡାଙ୍କୁ ଦିଆଯାଇଥିଲା ଏବଂ ସେ ୨୦୦୩ ମସିହାରେ ନିର୍ବାଚନରେ ହାରିଥିଲେ ।
ଏବେ କାହାକୁ ମିଳିବ ରୁମ ୨୦୨ ?
ରାଜ୍ୟ ସଚିବାଳୟର ରୁମ୍ ନମ୍ବର ୨୦୨ ଏଥର ମଧ୍ୟ ଜଣେ ମନ୍ତ୍ରୀଙ୍କୁ ମିଳିବ ନିଶ୍ଚିତ । ସଚିବାଳୟରେ ମନ୍ତ୍ରୀମାନଙ୍କ ପାଇଁ କୋଠରୀ ପ୍ରସ୍ତୁତ କରାଯାଉଛି, କିନ୍ତୁ କାହାକୁ ଏହି ରୁମ୍ ନମ୍ବର ୨୦୨ ବଣ୍ଟନ କରାଯିବ, ତାହା କିଛି ଦିନ ମଧ୍ୟରେ ସ୍ଥିର ହେବ । ଏହା ମଧ୍ୟ କୌତୁହଳ ଜନକ ହେବ ଯେ ଏହି କୋଠରୀ କାହାକୁ ଯିବ ?