ନୂଆଦିଲ୍ଲୀ: ସମାଜରେ ମହିଳାମାନଙ୍କର ଭୂମିକା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଭିନ୍ନ କ୍ଷେତ୍ରରେ ମହିଳାମାନେ ସ୍ବାବଲମ୍ବୀ ହେବା ସହ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ଲାଗିଛନ୍ତି । ତେଣୁୁ ବର୍ତ୍ତମାନ ସମୟରେ ମହିଳା ଆୟୋଗ ପାଇଁ ସେମାନଙ୍କର କାର୍ଯ୍ୟର ପରିସର ବୃଦ୍ଧି କରିବାର ସମୟ ଆସିଛି । ଫଳରେ ମହିଳାମାନେ କାର୍ଯ୍ୟ କରିବା ଦିଗରେ ଅଧିକ ସୁଯୋଗ ପାଇପାରିବେ । ଆଜି ଜାତୀୟ ମହିଳା ଆୟୋଗ (NCW)ର 30ତମ ପ୍ରତିଷ୍ଠା ଦିବସ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ‘ନୂତନ ଭାରତ’ ର ଅଭିବୃଦ୍ଧି ଚକ୍ରରେ ମହିଳାଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଆୟୋଗ ମଧ୍ୟ ମହିଳାମାନଙ୍କର ଭୂମିକାକୁ ପ୍ରୋତ୍ସାହିତ କରିବା ଉଚିତ୍ । ଉଦ୍ୟୋଗୀକରଣରେ ଯଥାସମ୍ଭବ ମହିଳାମାନେ ମୁଖ୍ୟ ଭୂମିକାକୁ ଆସିଲେଣି । ତେଣୁ ସେମାନଙ୍କ ପାଇଁ ଉଦ୍ୟୋଗ କ୍ଷେତ୍ରକୁ ଆହୁରି ଅନୁକୂଳ କରିବାକୁ ପଡିବ ।
ମୋଦି ଏହା ମଧ୍ୟ କହିଛନ୍ତି ଯେ ପୁରୁଣା ଚିନ୍ତାଧାରା ଥିବା ବ୍ୟକ୍ତିମାନେ ମହିଳାଙ୍କ ଦକ୍ଷତାକୁ କେବଳ ଘରୋଇ କାମ ବୋଲି ବିବେଚନା କରନ୍ତି, କିନ୍ତୁ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ହେଲେ ଏହି ମାନସିକତାରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ । ସେହିପରି ପୂର୍ବରୁ କ୍ଷମତାରେ ଥିବା ଦଳମାନେ ଯେତେବେଳେ ମହିଳାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇନାହାନ୍ତି, ସେତେବେଳେ ସେମାନେ କ୍ଷମତାରୁ ପ୍ରତ୍ୟାଖାତ ହୋଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମହିଳା ସଶକ୍ତିକରଣ ଦିଗରେ ବିଜେପି ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳ ଭାରତ ମହିଳାଙ୍କ ଦକ୍ଷତାକୁ ବ୍ୟବହାର କରିବାର ଅବସର ପ୍ରଦାନ କରିଛି । ମହିଳାମାନଙ୍କୁ 26 ସପ୍ତାହ ବିଶିଷ୍ଟ ସର୍ବାଧିକ ମାତୃତ୍ୱ ଛୁଟି ଦେଉଥିବା ଦେଶ ହେଉଛି ଭାରତ । ମୁଦ୍ରା ଯୋଜନା ଅଧୀନରେ ପ୍ରାୟ 70 ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା ଏବଂ କୋଟି କୋଟି ମହିଳା ଏହି ଯୋଜନା ବ୍ୟବହାର କରି ବ୍ୟବସାୟ ଆରମ୍ଭ କରିଛନ୍ତି ସ୍ବାବଲମ୍ବୀ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ