ହସଖୁସିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଆଶା ନେଇ ପ୍ରତିଟି ଯାତ୍ରା ଆରମ୍ଭ ହୁଏ । ହେଲେ ଏଭଳି ଏକ ଯାତ୍ରା ଅବସରରେ ହିଁ ଜୀବନ ଯାତ୍ରା ସମାପିତ ହେବା ଠାରୁ ଆଉ ଅଧିକ ଦୁଃଖଦ ସ୍ଥିତି କ’ଣ ବା ହୋଇପାରେ ? ଆମ ଦେଶରେ ସଡ଼କ ଦୁର୍ଘଟଣାରେ ଲକ୍ଷଲକ୍ଷ ପରିବାର ସର୍ବସ୍ବାନ୍ତ ହେଉଥିବା ବେଳେ ସଡ଼କ ସୁରକ୍ଷା କେବଳ ଏକ ଭ୍ରାନ୍ତ ଧାରଣାରେ ପରିଣତ ହୋଇଛି ।
ସଡ଼କ ଦୁର୍ଘଟଣାର ଏହି ଧାରା ଅବ୍ୟାହତ ରଖି, ନିକଟରେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଆରାକୁ ଉପତ୍ୟକାରୁ ଫେରିବା ବାଟରେ ରାସ୍ତାର ଏକ ବିପଜ୍ଜନକ ମୋଡ଼ରେ ବୁଲୁଥିବା ଗୋଟିଏ ବସ୍ 200 ଫୁଟ୍ ଗଭୀର ଖାଇ ଭିତରକୁ ଖସିପଡ଼ିବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଲା ଏବଂ ଅନ୍ୟ 20 ଜଣ ଗୁରୁତର ଆହତ ହେଲେ । ମୃତାହତ ଯାତ୍ରୀମାନେ ତେଲଙ୍ଗାନାର ବାସିନ୍ଦା । ଏହି ଘଟଣାର ଠିକ୍ ପରେ ପରେ ସେହି ରାଜ୍ୟର କୁର୍ଣ୍ଣୁଲ ଜିଲ୍ଲାରେ ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ 14 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା । ଗତ ମାସରେ କର୍ଣ୍ଣାଟକରେ ଘଟିଥିବା ଏକ ରାସ୍ତା ଦୁର୍ଘଟଣାରେ 13 ଜଣ ଝିଅ ପ୍ରାଣ ହରାଇଥିଲେ । ଗୁଜରାଟରେ ଦ୍ରୁତ ଗତିରେ ଯାଉଥିବା ଏକ ଗାଡ଼ି ମାଡ଼ି ଯିବା ଫଳରେ ରାସ୍ତା କଡ଼ରେ ଶୋଇଥିବା 15 ଜଣ ଶ୍ରମିକଙ୍କର ପ୍ରାଣହାନୀ ଘଟିଥିଲା ।
ଏହି ଦୁର୍ଘଟଣାର ଛାପ ଦେଶବାସୀଙ୍କ ମନରୁ ନଲିଭୁଣୁ ପଶ୍ଚିମବଙ୍ଗରେ ଘଟିଥିବା ଆଉ ଏକ ଭୟଙ୍କର ଦୁର୍ଘଟଣାରେ 14 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏଭଳି ଦୁର୍ଘଟଣାର ତାଲିକା ଅସରନ୍ତି ହୋଇ ରହିଛି । ଆମ ଦେଶର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦିନକୁ ହାରାହାରି 415 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ । ସେହିଭଳି, ଏହି ସବୁ ଦୁର୍ଘଟଣାରେ ବର୍ଷକୁ ପ୍ରାୟ ସାଢ଼େ ତିନି ଲକ୍ଷରୁ ଅଧିକ ବ୍ୟକ୍ତି ଶାରୀରିକ ଅକ୍ଷମତାର ଶିକାର ହୁଅନ୍ତି । ସାରା ବିଶ୍ବରେ ଥିବା ଗାଡ଼ିମଟରର ମାତ୍ର 1 ପ୍ରତିଶତ ଭାରତରେ ରହିଛି । ତଥାପି ବିଶ୍ବର 6 ପ୍ରତିଶତ ସଡ଼କ ଦୁର୍ଘଟଣା ଆମ ଦେଶରେ ଘଟେ ।
ସାରା ବିଶ୍ବରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୋଟ ଲୋକଙ୍କ ମଧ୍ୟରୁ 11 ପ୍ରତିଶତ ଭାରତରେ ପ୍ରାଣ ହରାନ୍ତି । ସଡ଼କ ଦୁର୍ଘଟଣା ସଂଖ୍ୟା ବିଷୟ ବିଚାରକୁ ନେଲେ ଭାରତ ଓ ଜାପାନର ସ୍ଥିତି ସମାନ । ହେଲେ, ଜାପାନରେ ସଡ଼କ ଦୁର୍ଘଟଣାରେ ବର୍ଷକୁ 5000ରୁ କମ୍ ଲୋକ ପ୍ରାଣ ହରାନ୍ତି । ଅପରପକ୍ଷରେ ଭାରତରେ ପ୍ରତି ବର୍ଷ 1.5 ଲକ୍ଷ ଲୋକଙ୍କର ମୃତ୍ୟୁ ହୁଏ । ଆଜିକୁ 32 ବର୍ଷ ତଳେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଥିଲା । ହେଲେ, ଏହି ସମୟ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପାଞ୍ଚ ଗୁଣ ବୃଦ୍ଧି ପାଇଛି ଏବଂ ଲୋକଙ୍କ ବଞ୍ଚିବାର ଅଧିକାର ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି । ସଡ଼କ ଦୁର୍ଘଟଣା କୋଭିଡ୍ ତୁଳନାରେ ଅଧିକ ବିପଜ୍ଜନକ ବୋଲି କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି । ହେଲେ ଏହି ସ୍ଥିତିକୁ ସୁଧାରିବା ଦିଗରେ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଇଛନ୍ତି କି ?
2011ରୁ 2020 ମସିହା ପର୍ଯ୍ୟନ୍ତ ସମୟକୁ ସଡ଼କ ଦୁର୍ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଦଶନ୍ଧି ରୂପେ ମିଳିତ ଜାତିସଂଘ ଘୋଷଣା କରିଥିଲା । ଏହି ସମୟ ମଧ୍ୟରେ ସାରା ବିଶ୍ବରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବାର ସମ୍ଭାବନା ଥିବା ଅତି କମ୍ରେ 50 ଲକ୍ଷ ଲୋକଙ୍କ ଜୀବନରକ୍ଷା ଲାଗି ଲକ୍ଷ୍ୟ ରଖାଯାଇଥିଲା । 2020 ମସିହା ସୁଦ୍ଧା ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର 50 ପ୍ରତିଶତ ହ୍ରାସ କରିବା ଲାଗି 2015ରେ ସଂପାଦିତ ବ୍ରାସିଲିଆ ଘୋଷଣାନାମାରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ଲକ୍ଷ୍ୟ ସତେ ଯେମିତି, ପବନରେ ମିଳାଇ ଯାଇଥିଲା । ସେହି ସମୟ ମଧ୍ୟରେ ଦେଶରେ ସଡ଼କ ଦୁର୍ଘଟଣାରେ 13 ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଥିଲା ଏବଂ 50 ଲକ୍ଷ ଲୋକ ପଙ୍ଗୁ ହୋଇଯାଇଥିଲେ ।
ଏଥିରୁ 61 ପ୍ରତିଶତ ଲୋକଙ୍କ ମୃତ୍ୟୁ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ଘଟିଥିଲା । ଦେଶରେ ରାଜପଥର ପରିମାଣ ମୋଟ ରାସ୍ତା ନେଟ୍ୱର୍କର 5 ପ୍ରତିଶତରୁ ବି କମ୍ । ମୃତବ୍ୟକ୍ତିଙ୍କ ମଧ୍ୟରୁ 70 ପ୍ରତିଶତଙ୍କ ବୟସ 18ରୁ 45 ବର୍ଷ ଭିତରେ । ଭାରତୀୟ ସମାଜ ଉପରେ ରାସ୍ତା ଦୁର୍ଘଟଣାର ପ୍ରଭାବ ଆକଳନ କରିବା ଲାଗି ବିଶ୍ବ ବ୍ୟାଙ୍କ ଏକ ଅନୁଧ୍ୟାନ କରିଥିଲା । ଏଥିରୁ ଏହି ନିଷ୍କର୍ଷ ବାହାରିଥିଲା ଯେ, ରାସ୍ତା ଦୁର୍ଘଟଣା ଯୋଗୁଁ 75 ପ୍ରତିଶତ ଗରିବ ପରିବାର ସାଂଘାତିକ ଭାବରେ ରୋଜଗାର ପନ୍ଥା ହରାଇ ବସନ୍ତି । ଏହି ରାସ୍ତା ଦୁର୍ଘଟଣା ଯୋଗୁଁ ଦେଶର ସର୍ବମୋଟ ଘରୋଇ ଉତ୍ପାଦ ବା GDPରେ ପ୍ରାୟ 7 ଲକ୍ଷ କୋଟି ଟଙ୍କା କ୍ଷତି ହେଉଛି ।
ତେଣୁ, ଏହାକୁ ହାଲୁକା ଭାବରେ ନିଆଯାଇ ପାରିବ ନାହିଁ । ବିଶେଷଜ୍ଞମାନଙ୍କ ମତରେ ନୂତନ ଜ୍ଞାନକୌଶଳର ଉପଯୋଗ, ସଚେତନତା ବୃଦ୍ଧି, ପ୍ରଚଳିତ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଭଳି ପଦକ୍ଷେପ ନିଆ ନଗଲେ, ଏକ୍ଷେତ୍ରରେ କୌଣସି ସ୍ପଷ୍ଟ ଓ ସକାରାତ୍ମକ ଫଳାଫଳ ହାସଲ କରିହେବ ନାହିଁ ।
ଦୁର୍ଘଟଣାର ଏହି ଧାରା ବଜାୟ ରଖିବାରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ହିଁ ଏକ ବଡ଼ କାରଣ ରୂପେ ଚିହ୍ନିତ ହୋଇଥିବାରୁ ଡ୍ରାଇଭରମାନଙ୍କ ମଧ୍ୟରେ ବିଜ୍ଞାନସମ୍ମତ ସଚେତନତା ବୃଦ୍ଧି, ରାସ୍ତାର ବିଭିନ୍ନ ବିପଜ୍ଜନକମୋଡ଼ରେ ସୁଧାର ଏବଂ ଅନ୍ୟାନ୍ୟ ପଦକ୍ଷେପ ତୁରନ୍ତ ନିଆଯିବା ଉଚିତ ।ଜାତୀୟ ରାଜପଥ କଡ଼ରେ ରହିଥିବା ମଦ ଦୋକାନ ବନ୍ଦ କରିବା ମଧ୍ୟ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ।
ସରକାର, ନାଗରିକ ଏବଂ ନାଗରିକ ସଂଗଠନ ମଧ୍ୟରେ ସମନ୍ବୟ ସ୍ଥାପନ ପୂର୍ବକ ପ୍ରୟାସ କରାଗଲେ ସଡ଼କ ସୁରକ୍ଷା ଏକ ସାମାଜିତ ଦାୟିତ୍ବରେ ପରିଣତ ହେବ ଏବଂ କେବଳ ତାହା ହେଲେ ହିଁ ସୁରକ୍ଷିତ ଯାତ୍ରା ସମ୍ଭବ ହୋଇପାରିବ ।