ନୂଆଦିଲ୍ଲୀ: ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ନେତା ହନୁମାନ ବେନିୱାଲ ଆଜି କୃଷି ଆଇନକୁ ବିରୋଧ କରି ଏନଡିଏ ଛାଡିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଏନଡିଏ ଛାଡିବାକୁ ଘୋଷଣା କରୁଛି । ଆରଏଲପି ପୂର୍ବରୁ ଅକାଳୀ ଦଳ ମଧ୍ୟ ଏନଡିଏ ଛାଡି କୃଷି ଆଇନକୁ ବିରୋଧ କରିଛି ।
ଏହାପୂର୍ବରୁ ବେନିୱାଲ କହିଥିଲେ ଯେ ନରେନ୍ଦ୍ର ମୋଦି ସରକାରଙ୍କ ପାଖରେ 303 ସାଂସଦ ଅଛନ୍ତି ଯେଉଁଥିପାଇଁ ସେ କୃଷି ଆଇନ ପ୍ରତ୍ୟାହାର କରୁନାହାଁନ୍ତି । ରାଜସ୍ଥାନର କୃଷକମାନେ 1,200 କିଲୋମିଟର ଦୂରରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ଏନଡିଏରେ ରହିବା ସମ୍ପର୍କରେ ସେ କହିଛନ୍ତି ଯେ ହରିୟାଣା ସୀମାର ଶାହାଜାହାନପୁରରେ ସାକ୍ଷାତ ପରେ ଏନଡିଏରେ ରହିବା କିମ୍ବା ଛାଡିବା ନେଇ ନିଷ୍ପତ୍ତି ନିଆଯିବ ଓ ଶେଷରେ ସେ ଏନଡିଏ ଛାଡିବାର ଘୋଷଣା କଲେ ।
ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛି । ଅନ୍ୟପକ୍ଷେ ଏହାର ସହଯୋଗୀମାନେ ଏହି ଆଇନ ବିରୁଦ୍ଧରେ ଏକାଠି ହେଲେଣି । ନିକଟରେ ହନୁମାନ ବେନିୱାଲ ରାଜସ୍ଥାନରୁ 2 ଲକ୍ଷ ଚାଷୀଙ୍କୁ କୃଷକ ଆନ୍ଦୋଳନକୁ ସମର୍ଥନ କରିବ ବୋଲି କହିଥିଲେ।
ଅନ୍ୟପକ୍ଷେ ସଂଯୁକ୍ତ କିଷାନ୍ ମୋର୍ଚା କହିଛି, କୃଷକ ପ୍ରତିନିଧି ଏବଂ ଭାରତ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ ଡିସେମ୍ବର 29 ରେ ସକାଳ 11 ଟା ସମୟରେ ଅନୁଷ୍ଠିତ କରିବାକୁ ଦାବି କରିଛୁ । ଏଥିସହ କୃଷି ମନ୍ତ୍ରଣାଳୟର ସଚିବଙ୍କ ଦ୍ବାରା ପଠାଯାଇଥିବା ଚିଠିର ଉତ୍ତରରେ ମୋର୍ଚ୍ଚା କହିଛି, ଦୁଃଖର ବିଷୟ ଯେ ଏହି ଚିଠିରେ ସରକାର ପୂର୍ବ ବୈଠକର ତଥ୍ୟ ଲୁଚାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି ।
ପ୍ରତ୍ୟେକ ବୈଠକରେ ଆମେ ତିନୋଟି କେନ୍ଦ୍ରୀୟ କୃଷି ନିୟମ ରଦ୍ଦ କରିବାକୁ ସର୍ବଦା ଦାବି କରୁଥିଲୁ ବୋଲି ମୋର୍ଚ୍ଚା କହିଛି କିନ୍ତୁ ସରକାର ଏହାକୁ ମୋଡ ଭିନ୍ନ କରି ଉପସ୍ଥାପନ କଲେ ଯେପରି ଆମେ ଏହି ଆଇନରେ ସଂଶୋଧନ ଦାବି କରିଛୁ । ମୋର୍ଚ୍ଚା ଏହା ମଧ୍ୟ କହିଛି ଯେ, ସରକାର କୃଷକମାନଙ୍କୁ ସମ୍ମାନର ସହ ଶୁଣିବାକୁ ଚାହୁଁଛନ୍ତି । ଯଦି ଆପଣ ପ୍ରକୃତରେ ଏହା କରିବାକୁ ଚାହାଁନ୍ତି ତେବେ ସର୍ବପ୍ରଥମେ ଆମେ ଆଲୋଚନାରେ ଉଠାଇଥିବା ପ୍ରସଙ୍ଗଗୁଡିକ ବିଷୟରେ ଭୁଲ ବୁଝନ୍ତୁ ନାହିଁ ଏବଂ ସମଗ୍ର ସରକାରୀ ଯନ୍ତ୍ର ବ୍ୟବହାର କରି ଚାଷୀଙ୍କ ବିରୁଦ୍ଧରେ ପ୍ରଚାର ବନ୍ଦ କରନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ