ନୂଆଦିଲ୍ଲୀ: ଦେଶର ନୂଆ ନିର୍ବାଚନ କମିଶନର ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁପ ଚନ୍ଦ୍ର ପାଣ୍ଡେ । 1984 ବ୍ୟାଚର ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ରହିସାରିଛନ୍ତି ।
ଅନୁପଚନ୍ଦ୍ରଙ୍କୁ 37 ବର୍ଷର ଭାରତୀୟ ପ୍ରଶାସନିକ ସେବାର ଅନୁଭବ ରହିଛି । 2018ରେ ଉତ୍ତରପ୍ରଦେଶ ମୁଖ୍ୟଶାସନ ସଚିବ ନିଯୁକ୍ତ ହୋଇଥିବା ଅନୁପ ଚନ୍ଦ୍ର 2019 ଅଗଷ୍ଟ ପର୍ଯ୍ୟନ୍ତ ଏହି ପଦରେ ଥିଲେ । ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାରରେ ଅନେକ ବଡ ପଦରେ ରହି ନିଜ ସେବା ଦେଇଛନ୍ତି ଅନୁପ ।
ସମ୍ବିଧାନର ଧାରା 324ର ଖଣ୍ଡ(2) ଆଧାରରେ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନିଯୁକ୍ତି ପରେ ନିର୍ବାଚନ ଆୟୋଗରେ ସଦସ୍ୟ ସଂଖ୍ୟା 3 ହୋଇଛି । ସୁନୀଲ ଆରୋରାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ 2021ରେ ନିର୍ବାଚନ ଆୟୁକ୍ତ ଭାବରେ ସୁଶୀଲ ଚନ୍ଦ୍ରାଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା । ଅନ୍ୟପକ୍ଷେ ଅବସରପ୍ରାପ୍ତ ଆଇଏସ ଅଧିକାରୀ ରାଜୀବ କୁମାର ନିର୍ବାଚନ ଆୟୋଗର ଅନ୍ୟ ଜଣେ କମିଶନର ଅଛନ୍ତି ।
ଅନୁପ ଚନ୍ଦ୍ର ପାଣ୍ଡେ 37 ବର୍ଷ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ସରକାରରେ ଭିନ୍ନ ଭିନ୍ନ ପଦରେ ରହିସାରିଛନ୍ତି । 29 ଅଗଷ୍ଟ 2019ରେ ସେ ଉତ୍ତରପ୍ରଦେଶର ମୁଖ୍ୟ ସଚିବ ପଦରେ ରହି ଅବସର ନେଇଥିଲେ । ସେହିପରି ଅନୁପ ଅନେକ ଜିଲ୍ଲାରେ ଜିଲ୍ଲାପାଳ ମଧ୍ୟ ରହିସାରିଛନ୍ତି ।