ଲକ୍ଷ୍ନୌ: ଧର୍ମାନ୍ତରୀକରଣ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । ମୌଲାନା କଲିମ ସିଦ୍ଦିକିଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ଏଟିଏସ (ATS) । ଗ୍ଲୋବାଲ ପିସ୍ ସେଣ୍ଟର ଅଧ୍ୟକ୍ଷ ଅଛନ୍ତି ମୌଲାନା ସିଦ୍ଦିକି । ଏହାସହିତ ଜମିୟତ-ଏ-ବଲିଉଲ୍ଲାହର ମଧ୍ୟ ମୁଖ୍ୟ ଅଛନ୍ତି ମୌଲାନା କଲିମ । ମିରଟରେ ମୌଲାନାଙ୍କୁ କରାଯାଇଛି ଗିରଫ ।
ଧର୍ମାନ୍ତରୀକରଣ ମାମଲାରେ ମୁଫତି କାଜି ଓ ଉମର ଗୌତମକୁ ପୋଲିସ ଗିରଫ କରିସାରିଛି । ଉଭୟଙ୍କର କଲିମ ସିଦ୍ଦିକିଙ୍କ ସହ ଲିଙ୍କ୍ ରହିଥିଲା । ବିଦେଶରୁ କୋଟି କୋଟି ଟଙ୍କା କଲିମଙ୍କ ଖାତାକୁ ଆସୁଥିବା ଅଭିଯୋଗ ରହିଛି ।
ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶ ଏଟିଏସ ସୂଚନା ଦେଇଛି ଯେ ମୌଲାନା କଲିମ ସିଦ୍ଦିକି ଉପରେ ଅବୈଧ ଧର୍ମାନ୍ତରୀକରଣ ପାଇଁ ବିଦେଶୀ ଫଣ୍ଡିଂ ଯୋଗାଡର ଅଭିଯୋଗ ରହିଛି । ଅଭିଯୁକ୍ତ ମୌଲାନାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ଏଟିଏସ । ମୌଲାନା ୟୁଟ୍ୟୁବ ଜରିଆରେ ଲୋକଙ୍କୁ ଧର୍ମାନ୍ତରୀକରଣ କରାଇବା ଓ ଧର୍ମାନ୍ତରୀକରଣ ରାକେଟରେ ସାମିଲ ହେବା ପାଇଁ ପ୍ରେରିତ କରୁଥିଲେ । ସେ ଜଣେ ଅଭିନେତ୍ରୀ ସନା ଖାନଙ୍କ ବିବାହ ମଧ୍ୟ କରାଇଥିଲେ ।
ଅଭିଯୋଗ ଅନୁଯାୟୀ, ଲାଞ୍ଚ ଦେଇ ଧର୍ମାନ୍ତରୀକରଣ ପାଇଁ ଉସକାଉଥିଲେ ମୌଲାନା । ସେ ନଜ ଟ୍ରେଷ୍ଟ ଚଳାଇବା ସହିତ ତମାମ ମଦ୍ରାସାକୁ ଫଣ୍ଡିଂ କରୁଥିଲେ । ମୌଲାନା କଲିମଙ୍କୁ ବିଦେଶରୁ ମୋଟା ଅଙ୍କର ଟଙ୍କା ଅବୈଧ ଉପାୟରେ ପଠାଯାଉଥିଲା । ଉମର ଗୌତମ ଓ ମୁଫତି କାଜିଙ୍କ ମଧ୍ୟ ଏଥିରେ ଲିଙ୍କ ରହିଥିଲା ।
ଏମାନଙ୍କୁ ପୋଲିସ ପୂର୍ବରୁ ଗିରଫ କରିସାରିଛି । ମୌଲାନା କଲିମଙ୍କ ଖାତାକୁ ବାହାରିନରୁ ଦେଢ କୋଟି ଟଙ୍କା ଆସିଥିବା ସୂଚନା ଦେଇଛି ୟୁପି ଏଟିଏସ । ଏହା ସହିତ ତାଙ୍କ ଆକାଉଣ୍ଟକୁ ମୋଟ ୩ କୋଟି ଟଙ୍କା ଆସିଛି ।
ୟୁପି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ୨୦ ଜୁନରେ ଅବୈଧ ଧର୍ମାନ୍ତରୀକରଣ ରାକେଟ ପରିଚାଳନା କରୁଥିବା କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଉମର ଗୌତମ ଓ ସହଯୋଗୀଙ୍କୁ ବ୍ରିଟିଶ ଆଧାରିତ ସଂସ୍ଥାରୁ ପାଖାପାଖି ୫୭ କୋଟି ଟଙ୍କା ଫଣ୍ଡିଂ ହୋଇଥିଲା । ଏହି ଖର୍ଚ୍ଚର ଠୋସ ତଥ୍ୟ ଦେଇପାରିନଥିଲେ ଅଭିଯୁକ୍ତ । ଏହି ମାମଲାରେ ମୌଲାନାଙ୍କ ଛାଡି ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇସାରିଛି । ଅନ୍ୟପକ୍ଷେ ୪ ଜଣଙ୍କ ବିରୋଧରେ ଯାଞ୍ଚ ଜାରି ରହିଛି ।
ଜୁନ ୨୨, ଉତ୍ତରପ୍ରଦେଶରେ ଧର୍ମ ପରିବର୍ତ୍ତନ ନେଟୱାର୍କର ବଡ ଖୁଲାସା ହୋଇଥିଲା । ଏହି ଘୃଣ୍ୟ କାର୍ଯ୍ୟରେ ପ୍ରଥମେ 2 ଜଣଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶ ଏଟିଏସ । ଧରାପଡିଥିବା 2 ଅଭିଯୁକ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବେକାରୀ, ଗରିବ ଓ ପଛୁଆ ବର୍ଗର ଲୋକଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ ।
ଦେଶରେ ଧାର୍ମିକ ଭେଦଭାବ ବିସ୍ତାର ପାଇଁ ଏହି ଷଡଯନ୍ତ୍ରରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଅନ୍ୟାନ୍ୟ ବିଦେଶୀ ପାଣ୍ଠି ଜଡିତ ଥାଇପାରେ ବୋଲି ଏଟିଏସ ଅଧିକାରୀମାନେ ସନ୍ଦେହ କରିଥିଲେ । ଗିରଫ ଅଭିଯୁକ୍ତମାନେ 1000ରୁ ଅଧିକ ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିବା ସ୍ବୀକାର କରିଥିଲେ। କେବଳ ଏତିକି ନୁହେଁ, ଅନେକ ଝିଅଙ୍କ ଧର୍ମ ପରିବର୍ତ୍ତନ କରିବା ପରେ ସେମାନେ ବିବାହ କରାଯାଇଥିବା ଖୁଲାସାରୁ ଜଣାପଡିଥିଲା ।
ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ଥିଲେ ମୁଫତି କାଜି ଜାହଙ୍ଗୀର ଆଲାମ କାସମି ଏବଂ ନୂଆଦିଲ୍ଲୀର ଜାମିଆ ନାଗରର ମହମ୍ମଦ ଉମର । ମହମ୍ମଦ ଉମର ପ୍ରଥମେ ଜଣେ ହିନ୍ଦୁ ଥିଲେ ଏବଂ ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେ ଦିଲ୍ଲୀର ଜାମିଆ ନଗରରେ ଏକ କାର୍ଯ୍ୟାଳୟ ଖୋଲି ଧର୍ମାନ୍ତରୀକରଣ କାର୍ଯ୍ୟ କରୁଥିଲେ।
ଏଟିଏସ ତଦନ୍ତରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଏହା ଜାଣିବାକୁ ମିଳିଥିଲା ଯେ ନୋଏଡା ସେକ୍ଟର 117ରେ ଦିବ୍ୟାଙ୍ଗ ଆବାସିକ ବିଦ୍ୟାଳୟରେ ଉମର ପିଲାମାନଙ୍କୁ ଚାକିରୀ, ବିବାହ ଏବଂ ଅର୍ଥ ପ୍ରଲୋଭନ ଦେଖାଇ ଇସଲାମ ଧର୍ମ ଗ୍ରହଣ କରାଇଥିଲେ ।
ଏହା ବ୍ୟତୀତ ସେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାର ଗରିବ, ବେକାରୀ ଏବଂ ପଛୁଆ ବର୍ଗର ଲୋକଙ୍କୁ ଇସଲାମ ଧର୍ମରେ ପରିବର୍ତ୍ତିତ କରାଉଥିଲା ଏହି ରାକେଟ ।