ଜୟପୁର: ଡାକ୍ତରଖାନାରେ ରୋଗୀଙ୍କୁ ଘାରୁଛି ମୂଷା ଭୟ । ରାଜସ୍ଥାନର ଯୋଧପୁର ସ୍ଥିତ ମଥୁରା ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ ମୂଷା କାମୁଡ଼ିବା ଭଳି ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲର ମାନସିକ ରୋଗ ବିଭାଗରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁଇ ଦିନ ପୂର୍ବରୁ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀଙ୍କ ଆଙ୍ଗୁଠିକୁ ମୂଷା କାମୁଡ଼ିଥିଲା । ଫଳରେ ତାଙ୍କ ଆଙ୍ଗୁଠିରେ ଗଭୀର କ୍ଷତ ହୋଇଥିଲା । ଘଟଣା ଜଣାପଡ଼ିବା ପରେ ଡାକ୍ତରଖାନା ପରିଚାଳନା କମିଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମୂଷା ମାରିଥିବା ଅଭିଯୁକ୍ତ ବିରୋଧରେ 30 ପୃଷ୍ଠାର ଚାର୍ଜସିଟ୍, ଜାଣନ୍ତୁ ପୁରା ଘଟଣା
ହସ୍ପିଟାଲ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲରେ ଏଭଳି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ବର୍ତ୍ତମାନ ମାନସିକ ରୋଗ ବିଭାଗର ଆଖପାଖରେ ଚାରିଆଡ଼େ ମୂଷାସଂଖ୍ୟା ବଢ଼ିଯାଇଥିବାରୁ ରୋଗୀଙ୍କୁ କାମୁଡ଼ିଥାଇ ପାରନ୍ତି । ମାନସିକ ବିଭାଗରେ କୀଟନାଶକ ଔଷଧ ପ୍ରୟୋଗ କରିବା ରୋଗୀଙ୍କ ପ୍ରତି ବିପଦଜନକ ହୋଇପାରେ । ମାନସିକ ରୋଗ ୱାର୍ଡରେ କୌଣସି କ୍ଷତିକାରକ ରାସାୟନିକ ପଦାର୍ଥ ରଖାଯାଇପାରିବ ନାହିଁ । ବିଭାଗରେ ମୂଷା ହେବାର କାରଣ ଖୋଜିବା ନେଇ ଏକ ଟିମ ଗଠନ କରାଯାଇଛି । ମୂଷା ଦୂର କରିବା ନେଇ ବ୍ୟବସ୍ଥା କରାଯାଉଥିବା ନେଇ ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମୂଷା ଖାଇଗଲା ୧୯ କିଗ୍ରା ଗଞ୍ଜେଇ, ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଏହା ମଧ୍ୟ ପଢ଼ନ୍ତୁ: ଡାକ୍ତରଖାନାରେ ଆଖିକୁ କାମୁଡିଲା ମୂଷା, ଚାଲିଗଲା ରୋଗୀର ଜୀବନ
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତରଖାନାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଖନନ ହେଉଥିବାରୁ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ନିର୍ମାଣ ଦ୍ବାରା ଅନେକ ଫାଟ ସୃଷ୍ଟି ହୋଇଛି । ଫଳରେ ମୂଷାମାନେ ଉକ୍ତ ବିଭାଗକୁ ମାଡ଼ି ଯାଇଥିବା ଅନୁମାନ କରାଯାଉଛି । ୱାର୍ଡରେ କୀଟନାଶକ ନିୟନ୍ତ୍ରଣ କାର୍ଯ୍ୟ କ୍ରମାଗତ ଭାବେ ଚାଲିଛି । ମାନସିକ ରୋଗ ବିଭାଗରେ ଥିବା ସମସ୍ତ ଛିଦ୍ରକୁ ବନ୍ଦ କରାଯାଇଛି । ଖୁବଶୀଘ୍ର ଏହା ସମସ୍ୟାର ସମାଧାନ ହେବ ବୋଲି ଅଧିକ୍ଷକ କହିଛନ୍ତି । ପ୍ରକାଶ ଥାଉକି, ୨୦୧୨ ମସିହାରେ ଏହି ହସ୍ପିଟାଲରେ ରୋଗୀଙ୍କୁ ମୂଷା ଆକ୍ରମଣ କରିଥିଲା । ଆଇସିୟୁରେ ରାଗୀଙ୍କୁ କାମୁଡ଼ିଥିଲା । ସେତେବେଳେ ୱାର୍ଡରେ କୀଟନାଶକ ଔଷଧ ଦିଆଯାଇଥିଲା । କିନ୍ତୁ ହସ୍ପିଟାଲର ପରିବେଶ ଅପରିଷ୍କାର ଯୋଗୁଁ ପୁଣି ଥରେ ଏହି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି ।