ରାଞ୍ଚି: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଯାଉଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । ଏହାରି ମଧ୍ୟରେ ଝାଡଖଣ୍ଡର ଜଣେ ବୃଦ୍ଧା ଶ୍ରଦ୍ଧାଳୁଙ୍କ କାହାଣୀ ଏବେ ସମସ୍ତଙ୍କୁ ଭାବୁକ କରୁଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଇଚ୍ଛା ସହ ସେ ତିନି ଦଶନ୍ଧି ପୂର୍ବେ ମୌନବ୍ରତ ଧାରଣ କରିଥିଲେ । ତାଙ୍କ ଇଚ୍ଛା ଏବେ ପୂରଣ ହୋଇଛି । ସେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଅଯୋଧ୍ୟା ଯିବେ ଓ ନିଜ ତିନି ଦଶନ୍ଧିର ମୌନବ୍ରତ ଭଙ୍ଗ କରିବେ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଷ୍ଟ୍ରଷ୍ଟ ପକ୍ଷରୁ ସେ ନିମନ୍ତ୍ରିତ ମଧ୍ୟ ହୋଇଛନ୍ତି । ଏପରି ଏକ କାହାଣୀ ହେଉଛି ଝାଡଖଣ୍ଡ ଧନବାଦର 85 ବର୍ଷୀୟା ଶ୍ରଦ୍ଧାଳୁ ସରସ୍ବତୀ ଦେବୀଙ୍କର ।
କ‘ଣ ଥିଲା ସରସ୍ବତୀଙ୍କ ପ୍ରାର୍ଥନା:-
1990ରେ ଅଯୋଧ୍ୟାରେ ଦେଖିବାକୁ ମିଳିଥିବା ରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ପ୍ରଭାବ ସାରା ଦେଶରେ ଅନୁଭୂତ ହୋଇଥିଲା । ଦେଶର କୋଣ ଅନୁକୋଣରୁ କରସେବକ ଓ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଅଯୋଧ୍ୟା ଅଭିମୁଖେ ଗସ୍ତ କରିଥିଲେ । ପରବର୍ତ୍ତୀ ହିଂସାରେ ଅନେକ ଗିରଫ ମଧ୍ୟ ହୋଇଥିଲେ । ସେହି ସମୟରେ ସରସ୍ବତୀ ଦେବୀ ରାମ ମନ୍ଦିର ନିର୍ମାଣ ପ୍ରାର୍ଥନା ସହ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୌନବ୍ରତ ଧାରଣ କରିଥିଲେ । ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଶେଷ ହେଲେ ସେ ମୌନବ୍ରତ ଭଙ୍ଗ କରିବେ ବୋଲି ଶପଥ ନେଇଥିବା ତାଙ୍କ ପରିବାର ସଦସ୍ୟ ଓ ସହକର୍ମୀଙ୍କୁ ଲେଖା ମାଧ୍ୟମରେ ଅବଗତ କରିଥିଲେ ।
ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ:-
ଏବେ ଏହି ଧର୍ମପରାୟଣ ମହିଳାଙ୍କ ତପସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଚର୍ଚ୍ଚାରେ ହେବା ପରେ ଅଯୋଧ୍ୟାରୁ ତାଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଆସିଛି । ଏନେଇ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରୀ । 85 ବର୍ଷୀୟା ସରସ୍ବତୀ ଦେବୀ ସୋମବାର ଅଯୋଧ୍ୟା ଗସ୍ତ କରିବେ । ଏବେ ମଧ୍ୟ ସେ ନିଜ ବ୍ରତ ଜାରି ରଖିଛନ୍ତି । 22 ତାରିଖରେ ସେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପନ୍ନ ହେବା ପରେ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ‘ଜୟ ଶ୍ରୀରାମ’ ଧ୍ବନୀ ଉଚ୍ଚରଣ କରି ନିଜ 30 ବର୍ଷର ବ୍ରତ ଭଙ୍ଗ କରିବା ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ! ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ପରିକ୍ରମା କରିସାରିଛନ୍ତି ପ୍ରମୁଖ ତୀର୍ଥସ୍ଥାନ :-
ଏହି 85 ବର୍ଷୀୟ ଧର୍ମପରାୟଣ ମହିଳା ନିଜ ଦୀର୍ଘବର୍ଷର ମୌନବ୍ରତ ସମୟରେ ଦେଶର ବହୁ ତୀର୍ଥସ୍ଥାନ ପରିକ୍ରମା କରିସାରିଛନ୍ତି । ସେ ସନାତନ ଧର୍ମର 4 ଆଦିପୀଠ ‘ଚାରିଧାମ’ ସହ ଅଯୋଧ୍ୟା, କାଶୀ, ମଥୁରା, ତିରୁପତି ବାଲାଜୀ, ସୋମନାଥ ମନ୍ଦିର, ବାବା ବୈଦନାଥ ମନ୍ଦିର ପ୍ରମୁଖ ପରିକ୍ରମା କରିସାରିଛନ୍ତି । ଆବଶ୍ୟକ ହେଲେ ସେ କାଗଜରେ ଲେଖି ନିଜ ଇଚ୍ଛା ସମ୍ପର୍କରେ ପରିଜନଙ୍କୁ ଅବଗତ କରିଥାନ୍ତି । ତାଙ୍କର ଏହି କଠୋର ତପସ୍ୟାରେ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଦୀର୍ଘ 30 ବର୍ଷ ଧରି ସହଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ