ଲକ୍ଷ୍ନୌ: 22 ତାରିଖରେ ଅଯୋଧ୍ୟାରେ ହେବାକୁଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦେଶ ଓ ବିଦେଶରୁ ବହୁ ବିଶିଷ୍ଟ ନିମନ୍ତ୍ରିତ ଅତିଥି ସାମିଲ ହେବାକୁ ଯାଉଛନ୍ତି । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଅନ୍ତର୍ଜାତୀୟ ଅତିଥିମାନେ ନୂଆଦିଲ୍ଲୀ-ଲକ୍ଷ୍ନୌ ହୋଇ ଅଯୋଧ୍ୟାରେ ପହଞ୍ଚିବେ । ଏହିକ୍ରମରେ ରାଜଧାନୀ ଲକ୍ଷ୍ନୌ ଓ ଅଯୋଧ୍ୟା ପର୍ଯ୍ୟନ୍ତ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହୋବାକୁ ଯାଉଛି । 19 ତାରିଖରୁ ଏହି ସେବା ଆରମ୍ଭ ହେବ ।
ଅଯୋଧ୍ୟା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୋଟ 6ଟି ହେଲିକପ୍ଟର ଏହି ସେବାରେ ନିୟୋଜିତ ହେବ । 3 ଟି ହେଲିକପ୍ଟର ଲକ୍ଷ୍ନୌରୁ ଓ ଅନ୍ୟ 3ଟି ଅଯୋଧ୍ୟାରୁ ଦୁଇ ସହର ମଧ୍ୟରେ ଉଡାଣ ସେବା ପ୍ରଦାନ କରିବେ । ଲକ୍ଷ୍ନୌର ରାମବାଇ ମୈଦାନରୁ ଏହି ସେବା ଆରମ୍ଭ ହେବ । ପ୍ରତ୍ୟେକ ହେଲିକପ୍ଟରରେ 8 ରୁ ସର୍ବାଧିକ 18 ପର୍ଯ୍ୟନ୍ତ ଯାତ୍ରୀ ଉଡ଼ାଣ ଭରିପାରିବେ । ଏଥିପାଇଁ ଯାତ୍ରୀମାନଙ୍କୁ ଆଗୁଆ ବୁକିଂ କରିବାକୁ ପଡ଼ିବ । ଏବେ ସୁଦ୍ଧା ବୁକିଂ ସୂଚୀ ଓ ଭଡ଼ା ସମ୍ପର୍କରେ ନିର୍ଦ୍ଦିଷ୍ଟ ରେଟଚାଟ ସ୍ଥିର ହୋଇନି । ଆସନ୍ତାକାଲି ସୁଦ୍ଧା ଅଯୋଧ୍ୟା ସରକାର ଏସମ୍ପର୍କିତ ପ୍ରକ୍ରିୟା ଚୂଡାନ୍ତ କରିବେ । ଏଥିପାଇଁ ଏକ ଓ୍ବେବସାଇଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ରାୟ 30 ରୁ 40 ମିନିଟ ମଧ୍ୟରେ ଦୁଇ ସହର ମଧ୍ୟରେ ହେଲିକପ୍ଟରରେ ଯାତ୍ରା ଶେଷ ହୋଇପାରିବ ।
ଅନ୍ୟପଟେ ଅଯୋଧ୍ୟାରେ ନବନିର୍ମିତ ବିମାନ ବନ୍ଦରରେ ପ୍ରାୟ ଶତାଧିକ ବିମାନ ଅବତରଣ କରିବାକୁ ଯାଉଛି । ଏ ସମ୍ପର୍କରେ ବିମାନ ବନ୍ଦର ନିର୍ଦ୍ଦେଶକ ବିନୋଦ କୁମାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରେଷ୍ଟ ସମ୍ପାଦକ ଚମ୍ପତ ରାୟଙ୍କ ସହ ଆଲୋଚନା କରିଛନ୍ତି । 100 ବିମାନର ତାଲିକା ପ୍ରସ୍ତୁତ କରାଯାଇଛି, ସେଗୁଡିକର ଲ୍ୟାଣ୍ଡିଂ ଓ ପାର୍କିଂ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ବିମାନ ପାଇଁ କ୍ରମାନ୍ବୟରେ ଭିନ୍ନ ଭିନ୍ନ ଲ୍ୟାଣ୍ଡିଂ ସମୟ ପ୍ରଦାନ କରାଯିବ । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ମଧ୍ୟ ରହିଛି । ନୂଆ ବିମାନ ବନ୍ଦରରେ ପର୍ଯ୍ୟାପ୍ତ ପାର୍କିଂ ପାଇଁ ଭିତ୍ତିଭୂମି ନଥିବା ବେଳେ ବିମାନଗୁଡ଼ିକ ଅବତରଣ କରି ଅତିଥିଙ୍କୁ ଓହ୍ଲାଇବା ପରେ ନିକଟବର୍ତ୍ତୀ ଲକ୍ଷ୍ନୌ, କାନପୁର, ଗୋରଖପୁର ଓ ପ୍ରୟାଗରାଜ ବିମାନ ବନ୍ଦରକୁ ପାର୍କିଂ ପାଇଁ ଉଡ଼ାଣ ଭରିବେ ।
ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସାମିଲ ହେବେ 55 ଦେଶର ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ
22 ତାରିଖରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଶ୍ବବ୍ୟାପୀ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବାକୁ ଯାଉଛନ୍ତି । ମୋଟ 55 ଦେଶରୁ ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରିତ ହୋଇଛନ୍ତି । ବିଦେଶୀ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ବିଭିନ୍ନ ଦେଶର ରାଜଦୂତ ଓ ସାଂସଦଙ୍କ ସମେତ ଅନ୍ୟ ରାଜନୈତିକ ବ୍ୟକ୍ତିବିଶେଷ ରହିଛନ୍ତି । କେବଳ ରାଜନୈତିକ ଓ କୂଟନୈତିକ ଅଧିକାରୀ ନୁହନ୍ତି ବରଂ ବହୁ ଆଧ୍ୟାତ୍ମିକ ବିକ୍ତିତ୍ବ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ଅତିଥିଙ୍କ ମଧ୍ୟରେ ନିଜକୁ ପ୍ରଭୁ ଶ୍ରୀରାମଙ୍କର ବଂଶଜ ବୋଲି ଦାବି କରୁଥିବା କୋରିଆର ରାଣୀ ମଧ୍ୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ