ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ କମ୍ବୋଡିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁଇ ଦିନିଆ ଗସ୍ତରେ ଏସିଆନ ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ (ASEAN Defence Minister Plus Meeting) ସାମିଲ ହେବେ ରାଜନାଥ ସିଂ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଜିଠାରୁ ଦୁଇ ଦିନିଆ କମ୍ବୋଡିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କମ୍ବୋଡିଆ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ରାଜନାଥ ସିଂ ବୈଠକରେ ଯୋଗ ଦେଉଛନ୍ତି ।
23 ତାରିଖରେ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ବୈଠକକୁ ରାଜନାଥ ସିଂ ସମ୍ବୋଧିତ କରିବେ । ଗସ୍ତ ବେଳେ ADMM Plus ବୈଠକରେ ଅଂଶଗ୍ରହଣକାରୀ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥ ସିଂ ଦ୍ବିପାକ୍ଷିକ ଆଲୋଚନା କରିବେ । ଏଥିସହ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିବେ । ଚଳିତ ଥର କମ୍ବୋଡିଆରେ ASEAN ପ୍ରତିରକ୍ଷା ମନ୍ତ୍ରୀ ବୈଠକର ନବମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ: Rozgar Mela: ଆଜି ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
ଆଜି ହେବାକୁ ଥିବା ଭାରତ- ASEAN ବୈଠକରେ ରାଜନାଥ ସିଂ ସହ-ଅଧ୍ୟକ୍ଷତା କରିବେ । ଏହି ସମୟରେ ଭାରତ-ଏସିଆନର ସହଭାଗିତାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯିବାର ଯୋଜନା କରାଯାଇଛି । ଭାରତ-ASEAN ମଧ୍ୟରେ ଥିବା ସମ୍ପର୍କ 30 ବର୍ଷ ପୂରିଛି । 1992ରେ ଭାରତ-ASEAN ସହଭାଗୀ ହୋଇଥିଲେ ଏବଂ 2010 ଅକ୍ଟୋବର 12ରେ ଭିଏତନାମାର ହନାଇରେ ADMM Plus ଆରମ୍ଭ ହୋଇଥିଲା ।