ଜୟପୁର: ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଏକ ନମ୍ବର । ଏହାର କାରଣ ରାଜସ୍ଥାନ ପୁରୁଷଙ୍କ ପ୍ରଦେଶ ଅଟେ । ରାଜସ୍ଥାନ ବିଧାନସଭାରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରୀବାଲ(Parliamentary Affairs Minister Shanti Dhariwal) । ମନ୍ତ୍ରୀଙ୍କ ନିକଟରେ ବସିଥିବା କଂଗ୍ରେସ ବିଧାୟକ ମଧ୍ୟ ତାଙ୍କ କଥାରେ ସହମତି ପ୍ରକାଶ କରିଥିବା ଦେଖାଯାଇଛି । ମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି ।
ଯାହା ସୂଚନା ରହିଛି, ମନ୍ତ୍ରୀ ଶାନ୍ତି ଧାରୀବାଲ ରାଜସ୍ଥାନ ବିଧାନସଭାରେ ଏକ ପ୍ରଶ୍ନର ଜବାବରେ ଦୁଷ୍କର୍ମ ମାମଲା ସମ୍ପର୍କରେ କହିଥିଲେ ଯେ, ରାଜସ୍ଥାନ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ ନମ୍ବର ସ୍ଥାନରେ ରହିଛି । ଆଗରେ ଉତ୍ତରପ୍ରଦେଶ, ଏହା ପଛକୁ ମଧ୍ୟପ୍ରଦେଶ, ଆସାମ, ମହାରାଷ୍ଟ୍ର, ଓଡିଶା, ତେଲାଙ୍ଗାନା, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଛି । ମାତ୍ର କେବଳ ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଏକ ନମ୍ବର । କାରଣ ରାଜସ୍ଥାନ ପୁରୁଷଙ୍କ ପ୍ରଦେଶ ଭାବେ ରହିଆସିଛି । ଧାରୀବାଲଙ୍କ ବୟାନ ପରେ ପାଖରେ ଥିବା ଅନ୍ୟ ମନ୍ତ୍ରୀ ଏବଂ ବିଧାୟକ ହସିବାକୁ ଲାଗିଥିବା ଦେଖିବାକୁ ମିଳିଛି ।
ସେପଟେ ଏଭଳି ବିବାଦୀୟ ବୟାନକୁ ନେଇ ଚାରିଆଡେ ତୁମ୍ବିତୋଫାନ ଆରମ୍ଭ ହୋଇଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ । ମୁଁ ସବୁବେଳେ ମହିଳାଙ୍କୁ ସମ୍ମାନ ଦିଏ ଏବଂ ପ୍ରତିଟି କ୍ଷେତ୍ରରେ ତାଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରେ । ମୋ ପାଟିରୁ କଥାଟି ଖସି ଯାଇଛି । ଏଥିପାଇଁ ମୁଁ ଗୃହରେ କ୍ଷମା ମାଗିବି ବୋଲି ଧାରୀବାଲ କହିଛନ୍ତି ।
@ANI