ରାୟପୁର: ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲାରେ ଘରୋଇ ଟିଭି ଚ୍ୟାନେଲର ଆଙ୍କର ରୋହିତ ରଂଜନଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ରାୟପୁର ପୋଲିସ ରୋହିତଙ୍କୁ ପଳାତକ ଘୋଷିତ କରିଛି । ଜାମିନ ପାଇବା ପରେ ରୋହିତଙ୍କ କୌଣସି ଖୋଜଖବର ମିଳୁନି । ସେ ଏବେ କେଉଁଠି ଅଛନ୍ତି ତାହା କାହାରିକୁ ଜଣାନାହିଁ । ଏହି ପରିପ୍ରେକ୍ଷୀରେ ରାୟପୁର ପୋଲିସ ତାଙ୍କୁ ପଳାତକ ଘୋଷିତ କରିଛି ଏବଂ ତାଙ୍କର ନ୍ୟୁଜ ଚ୍ୟାନେଲ କାର୍ଯ୍ୟାଳୟରେ ନୋଟିସ ଲଗାଇଛି । ନୋଟିସରେ ରୋହିତ ରଂଜନଙ୍କୁ ଆସନ୍ତା ୧୨ ତାରିଖ ସକାଳ ୧୧ଟା ସୁଦ୍ଧା ରାୟପୁର ସିଭିଲ ଲାଇନ ଥାନାରେ ହାଜର ହେବାକୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ପୋଲିସ ଏହି ନୋଟିସ ଚ୍ୟାନେଲ ପ୍ରଡ୍ୟୁସର ଏବଂ ଅନ୍ୟ କର୍ମଚାରୀଙ୍କ ଦେବାକୁ ଚାହିଁଥିଲା । କିନ୍ତୁ ସେମାନେ ଏହାକୁ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ଯାହାପରେ ଚ୍ୟାନେଲ କାର୍ଯ୍ୟାଳୟ ବାହାରେ ନୋଟିସ ଲଗାଇଛି ପୋଲିସ ।
କହିରଖୁଛୁ କି, ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଓ୍ବାଇନାଡରେ ତାଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ମାମଲାରେ ବୟାନ ଦେଇଥିଲେ । ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ଏହା ରାହୁଲଙ୍କ ପ୍ରତିକ୍ରିୟା ଭାବେ ପ୍ରସାରଣ କରିଥିଲେ ଉପସ୍ଥାପକ ରୋହିତ ରଞ୍ଜନ । ଏହି ଘଟଣାରେ ଆଙ୍କର ରୋହିତଙ୍କ ବିରୋଧରେ ରାଜସ୍ଥାନ, ଛତିଶଗଡ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ମାମଲା ମଧ୍ୟ ରୁଜୁ ହୋଇଥିବା । ପରେ ଉକ୍ତ ଗଣମାଧ୍ୟମ ସଂସ୍ଥା ଏହା ମାନବୀୟ ବୋଲି ତ୍ରୁଟି ସ୍ବୀକାର କରିବା ସହ କ୍ଷମା ମଧ୍ୟ ମାଗିଥିଲେ । ହେଲେ ଛତିଶଗଡ ପୋଲିସର ଏକ ଟିମ୍ ଆଙ୍କର ରୋହିତ ରଂଜନଙ୍କୁ ଗିରଫ କରିବା ପାଇଁ ହଠାତ ନୋଏଡାସ୍ଥିତ ଚ୍ୟାନେଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଏଥିରେ ନୋଏଡା ପୋଲିସ ଦଖଲ ଦେଇ ତାଙ୍କୁ ନିଜ ସହ ନେଇଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ରୋହିତ ଜାମିନ ପାଇଥିଲେ । ସେବେଠୁ ରୋହିତଙ୍କ କୌଣସି ପତ୍ତା ମିଳୁନାହିଁ ।