ମୁମ୍ବାଇ: ଶନିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ 51 ତମ ଜନ୍ମଦିନ ଥିଲା । ମୁମ୍ବାଇ କଂଗ୍ରେସ ପକ୍ଷରୁ ରାହୁଲଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଅବସରରେ ଦଳ ପକ୍ଷରୁ 1 ହଜାର ବୋତଲ ରକ୍ତ ଦାନ କରିବା ସହ 1 ହଜାର ପୁଷ୍ଟିହୀନ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଘୋଷଣା କରାଯାଇଛି ।
ସହର କଂଗ୍ରେସ ସଭାପତି ଭାଇ ଜଗତାପ କହିଛନ୍ତି ଯେ କୋଲାବା ଏବଂ ଚେମ୍ବୁର ସମେତ ବିଭିନ୍ନ ଅଞ୍ଚଳରେ କଂଗ୍ରେସ ରକ୍ତଦାନ ଶିବିର ଅନୁଷ୍ଠିତ କରିବ । ଦଳ ବସ୍ତି ଅଞ୍ଚଳରେ ରହୁଥିବା ପ୍ରାୟ 1 ହଜାର ପୁଷ୍ଟିହୀନ ପିଲାଙ୍କୁ ଚିହ୍ନଟ କରିଛି । ସେହି ପିଲାମାନଙ୍କ ଯତ୍ନ ନେବା ପାଇଁ 200 ଦଳୀୟ କର୍ମୀ ନିଯୁକ୍ତ କରାଯାଇଛି । ପ୍ରତିଟି କର୍ମୀ 5 ଜଣ ପିଲାଙ୍କ କଥା ବୁଝାସୁଝା କରିବେ । ଆହୁରି ମଧ୍ୟ, ସାମ୍ଭାବ୍ୟ କୋଭିଡ ତୃତୀୟ ଲହର ପିଲାମାନଙ୍କ ପାଇଁ ଅଧିକ ଘାତକ ବୋଲି କୁହାଯାଇଛି । ଏପରିସ୍ଥିତିରେ ପୁଷ୍ଟିହୀନ ପିଲାଙ୍କ ପ୍ରତି ଅଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
କାର୍ଯ୍ୟକ୍ରମରେ AICC ମହାରାଷ୍ଟ୍ର ଇନଚାର୍ଜ ଏଚ କେ ପାଟିଲ, ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲେ, କ୍ୟାବିନେଟ ମନ୍ତ୍ରୀ ବର୍ଷା ଗଇକ୍ବାଡ, ଅସଲାମ ଶେଖ୍, ଯଶୋମତି ଠାକୁରଙ୍କ ସମତେ ବିଭିନ୍ନ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । 'ବର୍ତ୍ତମାନ ସମୟ ଆସିଛି କେନ୍ଦ୍ରରୁ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କୁ କ୍ଷମତାଚ୍ୟୁତ କରିବାକୁ ଏବଂ କଂଗ୍ରେସକୁ ପୁନର୍ବାର କ୍ଷମତାକୁ ଆଣିବାକୁ । ରାହୁଲ ଗାନ୍ଧୀ ହିଁ ଦେଶକୁ ରକ୍ଷା କରିପାରିବେ' ବୋଲି ରାଜ୍ୟ କଂଗ୍ରେସ ସଭାପତି କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି ।