ଜୟପୁର: ଚଳିତ ବର୍ଷ ଶେଷ ଭାଗରେ କଂଗ୍ରେସ ଶାସିତ ପଶ୍ଚିମ ରାଜ୍ୟ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଚଳିତ ମାସ 9 ତାରିଖରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ । ରାହୁଲ ଆଦିବାସୀ ବହୁଳକ୍ଷେତ୍ର ବଂଶଓ୍ବାଡାର ମନଗଢରୁ ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ।
AICC ସାଧାରଣ ସମ୍ପାଦକ ତଥା ଦଳର ରାଜସ୍ଥାନ ପ୍ରଭାରୀ ଏସ.ଏସ ରନ୍ଧାଓ୍ବା କହିଛନ୍ତି, "ଚଳିତ 9 ତାରିଖରେ ରାହୁଲ ଗାନ୍ଧୀ ଆଦିବାସୀ ବହୁଳ ବଂଶଓ୍ବାଡାର ମନଗଢରେ ପ୍ରଥମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେ ‘ଆଦିବାସୀ ଦିବସ’ରେ ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ବୋଧିତ କରିବେ । ପରେ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ରାହୁଲ ଅଂଶଗ୍ରହଣ କରିବେ ।" ରନ୍ଧାଓ୍ବା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, "ମନଗଡରେ ହେବାକୁ ଥିବା ରାଲିରେ ଉଭୟ ଗେହେଲଟ ଓ ପାଇଲଟଙ୍କ ସମେତ ଦଳର ରାଜ୍ୟ ସଭାପତିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଆଦିବାସୀବହୁଳ କ୍ଷେତ୍ର ଅଧୀନରେ ପ୍ରାୟ 18ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ।"
ଭାରତ ଯୋଡ଼ୋ ଯାତ୍ରା ପରେ ଏହା ରାହୁଲଙ୍କ ପ୍ରଥମ ରାଜସ୍ଥାନ ଗସ୍ତ ହେବାକୁ ଯାଉଛି । ଏବେ ରାଜସ୍ଥାନରେ ନିର୍ବାଚନ ପାଖଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଅସନ୍ତୁଷ୍ଟ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହଛି । କେନ୍ଦ୍ରୀୟ ନେତୃତ୍ବଙ୍କ ହସ୍ତକ୍ଷେପ ପରେ ଏହି ବିବାଦ ସାମାନ୍ୟ ପ୍ରଶମିତ ହେବା ପରି ଦୃଶ୍ୟମାନ ହେଉଥିଲେ ସୁଦ୍ଧା ଏହା ଏବେ ମଧ୍ୟ ଜାରି ରହିଛି । ତେଣୁ ରାହୁଲଙ୍କ ଏହି ଗସ୍ତ ଦଳୀୟ ଅନ୍ତକନ୍ଦଳ ଦିଗରୁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।
ଏହା ମଧ୍ୟ ପଢନ୍ତୁ :-Delhi Service Bill: କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା, କେନ୍ଦ୍ରକୁ TDPର ସମର୍ଥନ
କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ବାହାରକୁ ରାସ୍ତା ଦେଖାଇ ଶାସନ କ୍ଷମତା ହାସଲ କରିଛି କଂଗ୍ରେସ । ଏହି ବିଜୟ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାର ଫଳାଫଳ ବୋଲି ଦଳ କହି ସାରିଛି । ତେବେ ଏହି ବର୍ଷ ଶେଷ ସୁଦ୍ଧା କଂଗ୍ରେସ ଶାସିତ ଅନ୍ୟ ଦୁଇ ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ଏହି ରାଜ୍ୟଗୁଡିକରେ ଭଲ ପ୍ରଦର୍ଶନ କରି କ୍ଷମତା ବଜାୟ ରଖିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବ । ଅଗଷ୍ଟ 9 ତାରିଖରୁ ରାହୁଲଙ୍କ ସମ୍ବୋଧନରୁ ନିର୍ବାଚନୀ ରଣନୀତି ଆରମ୍ଭ କରିବାକୁ ଯାଉଛି ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ