‘କ୍ବାଡ୍’ ନାମରେ ସୁପରିଚିତ ଚତୁର୍ପାକ୍ଷିକ ସୁରକ୍ଷା ବାର୍ତ୍ତାଳାପ ମାଧ୍ୟମରେ ରଣନୈତିକ ଦୃଷ୍ଟିକୋଣରୁ ଏକ ମେଣ୍ଟ ଗଠନ କରିଛନ୍ତି ଅଷ୍ଟ୍ରେଲିଆ, ଭାରତ, ଆମେରିକା ଏବଂ ଜାପାନ । 2004 ମସିହାରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ସୁନାମି ସଂଘଟିତ ହେବା ପରେ ପୀଡ଼ିତମାନଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ଲାଗି ଏଭଳି ଏକ ସକାରାତ୍ମକ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଉପୁଜିଥିଲା । 2007 ମସିହା ପରଠାରୁ ଏହି ପରିକଳ୍ପନା କେବଳ କାଗଜକଲମରେ ସୀମିତ ରହିଥିଲା । ହେଲେ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ପରିଲକ୍ଷିତ ହେବା ସହିତ ପୁନର୍ବାର ଏହି ପରିକଳ୍ପନା ଜାଗୃତ ହେଲା ଏବଂ ଚତୁର୍ପାକ୍ଷିକ ମେଣ୍ଟ ବା ‘କ୍ବାଡ୍’ ଗଠିତ ହେଲା ।
2017 ମସିହାରୁ ବିଭିନ୍ନ ସ୍ତରରେ ବିସ୍ତୃତ ବିଚାର ବିମର୍ଶ ପରେ ଏହି ରଣନୈତିକ ମଞ୍ଚ ଉଭା ହୋଇଛି । ଏଥିରେ ସାମିଲ ଚାରିଟି ଦେଶର ରାଷ୍ଟ୍ରମୁଖ୍ୟଙ୍କ ମିଳିତ ଘୋଷଣାନାମାରେ ଚୀନର ନାମ ଉଲ୍ଲେଖ କରାଯାଇନାହିଁ । ତଥାପି, ଏସବୁ ଦେଶର ଭବିଷ୍ୟତ କାର୍ଯ୍ୟସୂଚୀ ଏହି ଘୋଷଣାନାମାରେ ସ୍ପଷ୍ଟ ପ୍ରତୀୟମାନ ହୁଏ । ‘ବସୁଧୈବ କୁଟୁମ୍ବକମ୍’-ଭାରତୀୟ ଦର୍ଶନର ଏହି ମୂଳ ଦୃଷ୍ଟିକୋଣର ପ୍ରତୀକାତ୍ମକ ପରିପ୍ରକାଶ ରୂପରେ ‘କ୍ବାଡ୍’କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଥିଲେ । ସେ କହିଲେ ଯେ, କୋରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି ଏବଂ ଜଳବାୟୁ ପରିବର୍ତ୍ତନ ସଂପର୍କିତ ବିଷୟରେ ଭାରତର ଉପକ୍ରମ ଏବଂ ନୂତନ ଜ୍ଞାନକୌଶଳର ବିକାଶ କାର୍ଯ୍ୟକ୍ରମର ଅନ୍ତର୍ଜାତୀୟ ସ୍ତରରେ ଶୁଭପ୍ରଦ ପ୍ରଭାବ ପଡ଼ିବ ।
କୋଭିଡ୍-19 ପ୍ରତିଷେଧକ ଟିକା, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ସଂପର୍କିତ ବିଷୟ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଟିମ୍ ଗଠନ ନିମନ୍ତେ ‘କ୍ବାଡ୍’ ସଦସ୍ୟ ଦେଶ ସମୂହର ରାଷ୍ଟ୍ରମୁଖ୍ୟମାନଙ୍କ ଦ୍ବାରା କରାଯାଇଥିବା ଏହି ମିଳିତ ଘୋଷଣାନାମାରେ ଆହ୍ବାନ ଦିଆଯାଇଥିଲା । ଯେଉଁ ସମୟରେ 46.3 କୋଟି ପ୍ରତିଷେଧକ ଟିକା ରପ୍ତାନି ଏବଂ ବିତରଣ ପାଇଁ ଚୀନ ପ୍ରସ୍ତୁତ ହେଉଛି, ଠିକ୍ ସେହି ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅନ୍ତର୍ଗତ 24ଟି ଦେଶରେ 100 କୋଟି ଟିକା ବିତରଣ ନିମନ୍ତେ ‘କ୍ବାଡ୍’ ପ୍ରସ୍ତୁତି ଚଳାଇଛି । ଯୁକ୍ତରାଷ୍ଟ୍ର ଆମେରିକାରୁ ବୈଷୟିକ ଜ୍ଞାନକୌଶଳ, ଜାପାନ ଓ ଆମେରିକାର ଆର୍ଥିକ ସହାୟତା ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ଯୋଗାଇ ଦିଆଯାଉଥିବା ପରିବହନ ସୁବିଧାକୁ ନେଇ ଭାରତ 100 କୋଟି ପ୍ରତିଷେଧକ ଟିକା ପ୍ରସ୍ତୁତ କରିବ । ଭବିଷ୍ୟତରେ ସାମୂହିକ ସ୍ବାର୍ଥର ସୁରକ୍ଷା ଦିଗରେ ସହାୟକ ହେବା ଭଳି ପ୍ରଯୁକ୍ତିବିଦ୍ୟାର ବିକାଶ ନିମନ୍ତେ ‘କ୍ବାଡ୍’ ସଂକଳ୍ପବଦ୍ଧ ହୋଇଛି । ଅର୍ଥନୈତିକ, ବାଣିଜ୍ୟିକ ଏବଂ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ଚୀନ ପକ୍ଷରୁ ସମ୍ଭାବିତ ଆହ୍ବାନର ମୁକାବିଲା ଦିଗରେ ନିଶ୍ଚିତ ଭାବରେ ‘କ୍ବାଡ୍’ ଏକ ବଳିଷ୍ଠ ପଦକ୍ଷେପ ।
2 ଚତୁର୍ଦେଶୀୟ ସାମ୍ମୁଖ୍ୟ ‘କ୍ବାଡ୍’ରେ ଭାରତ ହେଉଛି ଏକମାତ୍ର ଦେଶ, ଯେ କି ‘ନାଟୋ’ (ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ)ର ସଦସ୍ୟ ନୁହେଁ । ଚୀନ ସୀମାକୁ ଲାଗି ରହିଥିବା ଭାରତ ସହିତ ଚୀନର ଅନେକ ସୀମା ବିବାଦ ବି ଲାଗି ରହିଛି । କୌଣସି ଦେଶର ନେତୃତ୍ବ ସେହି ଦେଶର ସାମର୍ଥ୍ୟ ସହିତ ଆନୁପାତିକ ଭାବେ ବିନମ୍ର ହେବା ଉଚିତ ବୋଲି ଡେଙ୍ଗ ଶିଆଓ ପିଙ୍ଗଙ୍କ ସୁଚିନ୍ତିତ ପରାମର୍ଶକୁ ଏଡ଼ାଇ ଯାଇ ଚୀନର ସଂପ୍ରସାରଣବାଦୀ ନୀତି ଅବଲମ୍ବନ ଏବଂ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଯୁଦ୍ଧ ନିମନ୍ତେ ଉସୁକାଇବା କାରଣରୁ ଏ ଅଞ୍ଚଳରେ ଉତ୍ତେଜନାର ବହ୍ନି ପ୍ରଜ୍ଜ୍ବଳିତ ହେବାରେ ଲାଗିଲା ।
ଚୀନର ସର୍ବୋଚ୍ଚ ନେତା ଶି ଜିନ୍ପିଙ୍ଗ ତାଙ୍କ ପଦଭାର ଗ୍ରହଣ ସମୟରେ ଏକ ନୂତନ ପଞ୍ଚଶୀଳ ନୀତି ପ୍ରବର୍ତ୍ତନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ତେବେ, ଚୀନର ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’ ଶୀର୍ଷକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତ ମନା କରିଦେବା ପରେ ସେ ତାଙ୍କ ସ୍ବର ଓ ଭାବ ବଦଳାଇଦେଲେ । 2017ରେ ସ୍ଥାପିତ ବୁଝାମଣାର ଉଲ୍ଲଂଘନ କରି ଚୀନ ଡୋକଲାମ ସଂକଟକୁ ଜନ୍ମ ଦେଇଥିଲା । ୱୁହାନ ଓ ମହାବଳିପୁରମରେ ଆୟୋଜିତ ଶୀର୍ଷ ସମ୍ମିଳନୀରେ ବନ୍ଧୁତ୍ବ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ପରିପ୍ରକାଶ କରୁଥିବା ସମୟରେ ହିଁ ଚୀନ ଲଦାଖରେ ଭାରତ ସହ ଲଢ଼େଇ ଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲା । 14ଟି ଦେଶକୁ ଲାଗି ଚୀନର 22,000 କିଲୋମିଟର ସୀମା ରହିଛି । ଏହି ସମସ୍ତ 14ଟି ଦେଶ ସହିତ ଚୀନର ସୀମାବିବାଦ ଲାଗି ରହିଛି । ଅରୁଣାଚଳ ପ୍ରଦେଶକୁ ତା’ର ନିଜ ଅଞ୍ଚଳ ବୋଲି ଡ୍ରାଗନ୍ ଦାବି କରିଆସୁଛି । ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ବୀପ ଏବଂ ପାକିସ୍ତାନରେ ନୌସେନା ଘାଟି ସ୍ଥାପନ କରି ଚୀନ ଭାରତକୁ ଫାଶରେ ପକାଇବାକୁ ଉଦ୍ୟମ କରୁଛି । ଐତିହାସିକ ଦୃଷ୍ଟିକୋଣରୁ ଦକ୍ଷିଣ ଚୀନ ସାଗର ଉପରେ ଏହାର ପ୍ରଭୁତ ଅଧିକାର ରହିଛି ବୋଲି ଦାବି କରିଆସୁଥିବା ଚୀନ ଏହି ସାଗରରେ ଅନେକ କୃତ୍ରିମ ଦ୍ବୀପ ଏବଂ ସାମରିକ ଘାଟି ସ୍ଥାପନ କରିଛି । ଏହି ପ୍ରକ୍ରିୟାକ୍ରମେ ଚୀନ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଉଲ୍ଲଂଘନ କରିଛି ।
ବେଜିଂର ଏଭଳି ମାତ୍ରାଧିକ କାର୍ଯ୍ୟକ୍ରମ ପୃଷ୍ଠଭୂମିରେ ‘କ୍ବାଡ୍’ ଭଳି ଏକ ମଞ୍ଚ ଗଠନରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ‘କ୍ବାଡ୍’କୁ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ ବା ‘ନାଟୋ’ର ଏସୀୟ ସଂସ୍କରଣ ବୋଲି ଚୀନ ବର୍ଣ୍ଣନା କରିଛି । ‘ବ୍ରିକ୍ସ’ ଏବଂ ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ ଭଳି ମଞ୍ଚରେ ଭାରତ ଏକ ନକାରାତ୍ମକ ଶକ୍ତିରେ ପରିଣତ ହୋଇଛି ବୋଲି ମଧ୍ୟ ଚୀନ କହିଛି । ଡ୍ରାଗନ୍ ଉପରେ ଅଙ୍କୁଶ ଲଗାଇବା ପାଇଁ ହେଲେ, ‘କ୍ବାଡ୍’କୁ ଗଣତାନ୍ତ୍ରିକ ରାଷ୍ଟ୍ର ସମୂହର ଏକ ବଳିଷ୍ଠ ମେଣ୍ଟ ଭାବରେ ଗଢ଼ି ତୋଳିବା ଦିଗରେ ଭାରତ ଏକ ଶକ୍ତିଶାଳୀ ସହଯୋଗର ଆଧାର ରୂପରେ ଉଭା ହେବା ଉଚିତ ।