ଚଣ୍ଡିଗଡ: ପଞ୍ଜାବରେ ଭଗବତ ମାନ ନେତୃତ୍ବାଧୀନ ସରକାରଙ୍କ ଆଜି ପ୍ରଥମ ସମ୍ପ୍ରସାରଣ । ଆଜି ସଂଧ୍ୟା 5 ଟାରେ ରାଜଭବନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୁସାରେ 5 ରୁ 6 ନୂଆ ମନ୍ତ୍ରୀ ଆଜି କ୍ୟାବିନେଟରେ ସାମିଲ ହୋଇପାରନ୍ତି । ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଜଣେ ମହିଳା ମଧ୍ୟ ରହିଛନ୍ତି ।
ସରକାର ଗଠନ ହେବା ପରେ ପ୍ରଥମ ସମ୍ପ୍ରସାରଣ ହେବାକୁ ଯାଉଛି । ଏଥିପାଇଁ ଗତ ସପ୍ତାହରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ମାନ ଗତ ସପ୍ତାହରେ ଦିଲ୍ଲୀ ଯାଇ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଦଳ ମୁଖ୍ୟଙ୍କ ମଧ୍ୟରେ ସାମ୍ଭାବ୍ୟ ମନ୍ତ୍ରୀ ତାଲିକାକୁ ବିଚାରବିମର୍ଶ ହେବା ସହ କିଛି ବିଧାୟକଙ୍କ ନାମରେ ମୋହର ମଧ୍ୟ ଲାଗିଥିଲା । ସେତେବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାନ କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ସେ ସେଥିପାଇଁ ଦିଲ୍ଲୀ ଗସ୍ତ କରି ନଥିବା କହିବା ସହ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନିଷ୍ପତ୍ତି ପଞ୍ଜାବରେ ହେବା ନେଇ କହିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଆଜି ନୂତନ ଭାବେ ମନ୍ତ୍ରୀ ଶପଥ ନେବାକୁ ଥିବା ମୁହଁଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ବର୍ତ୍ତମାନ ମାନ ସରକାରରେ ଡ.ବଲଜିତ କୌର ଜଣେ ମାତ୍ର ମହିଲା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । ନୂଆ ମହିଳାମନ୍ତ୍ରୀ ଚର୍ଚ୍ଚାରେ ଅମୃତସର -ଇଷ୍ଟ ବିଧାୟକ ଜୀବନଜୌତ କୌର ଓ ଜାଗରାଓ ବିଧାୟିକା ସରବତିତ କୌରଙ୍କ ନାମ ଆକଳନର ପ୍ରଥମ ଧାଡିରେ ରହିଛି । ତେବେ ଆଗକୁ ପୌର ନିର୍ବାଚନ ଥିବା ଯୋଗୁ ସନ୍ତୁଳନ ବଜାୟ ରଖିବା ପାଇଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ପରେ ଖାଲି ପଡିଥିବା ତାଙ୍କ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ସଙ୍ଗରୁରରେ ଦଳୀୟ ପ୍ରାର୍ଥୀଙ୍କୁ ହରାଇ ଅକାଳୀ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଏହି ପରାଜୟ ପରେ ଦଳ ଲୋକସଭାରେ ମଧ୍ୟ ନିଜ ପ୍ରତିନିଧିତ୍ବ ହରାଇଛି ।
ସୂଚନାନୁସାରେ, ସୁନାମ ବିଧାୟକ ଅମନ ଆରୋରାଙ୍କ ନାମ ଚର୍ଚ୍ଚାରେ ଆଗରେ ରହିଛି । କେତେକ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ମଧ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଏହା ସହିତ ଅମୃତସର-ଦକ୍ଷିଣ ବିଧାନସଭା କ୍ଷେତ୍ରରୁ ବିଧାୟକ ଇନ୍ଦରବୀର ସିଂ ନିଜାର, ଗୁରୁହର ସାହି ବିଧାୟକ ଫୌଜା ସିଂ ସରାଇ, ସାମନା ବିଧାୟକ ଚେତନ ସିଂ ଜୋରାମଜ୍ରାଙ୍କ ନାମ ମଧ୍ୟ ମନ୍ତ୍ରୀ ପଦ ଚର୍ଚ୍ଚାରେ ରହିଛି । ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ ଆମ ଆଦମି ପାର୍ଟି ଐତିହାସିକ ସଫଳତା ପାଇ ସରକାର ଗଠନ କରିବା ପରେ ଭଗବତ ମାନଙ୍କ ସହ ମୋଟ 11 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କିରଥିଲେ । ପରେ ଦୁର୍ନୀତି ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାକୁ ହଟାଯାଇଥିଲା । ବର୍ତ୍ତମାନ ମାନ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା 10 ରହିଛି । ନୂତନ ତଥା ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳେ ଆଉ 5 ମନ୍ତ୍ରୀ ସାମିଲ ହେବା ପରେ ଏହି ସଂଖ୍ୟା 15କୁ ବୃଦ୍ଧି ପାଇବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ