ପାଟନା: ବିହାରର ମୁଜାଫରପୁରର ନିତୀଶ୍ବର ମହାବିଦ୍ୟାଳୟରେ ଶିକ୍ଷା ଦାନରେ ଅବ୍ୟବସ୍ଥା ଅଭିଯୋଗ କରି ନିଜର 3 ବର୍ଷର ଦରମା କଲେଜ କର୍ତ୍ତୃପକ୍ଷଙ୍କୁ ଫେରାଇ ଦେଇଥିବା ଅଧ୍ୟାପକ ଡ.ଲଲନ କୁମାର କ୍ଷମା ପ୍ରାର୍ଥନା କରିଛନ୍ତି । କଲେଜରେ ହିନ୍ଦୀ ବିଭାଗରେ ସହକାରୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବା ଡ.ଲଲନ କୁମାର କଲେଜର କୁଳପତିଙ୍କୁ ଏକ ଲିଖିତ ଦରଖାସ୍ତ ମାଧ୍ୟମରେ ଉକ୍ତ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି ।
କଲେଜରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଆସୁ ନଥିବା ଓ ସେ ଶିକ୍ଷାଦାନ ଶୈଳୀରେ ସନ୍ତୁଷ୍ଟ ନଥିବା ଦର୍ଶାଇ 3 ବର୍ଷର ଦରମା 24 ଲକ୍ଷ ଟଙ୍କା କଲେଜ କର୍ତ୍ତୃପକ୍ଷଙ୍କୁ ଫେରସ୍ତ କରିଥିଲେ ପ୍ରଫେସର ଲଲନ କୁମାର । ସେହିପରି ସେ ଉକ୍ତ ମହାବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହେବାକୁ ଚାହୁଁଥିବା ବେଳେ ତାଙ୍କ ଆବେଦନକୁ ଗମ୍ଭୀରତାର ସହ ବିଚାର କରାଯାଉ ନଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ । କଲେଜ କର୍ତ୍ତୃପକ୍ଷ ତାଙ୍କ ଠାରୁ ଫେରସ୍ତ ଟଙ୍କା ଗ୍ରହଣ କରିବା ସମ୍ଭବ ନୁହେଁ ବୋଲି କହିବା ସହ ଘଟଣାର ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ । ସେତେବେଳେ ପ୍ରଫେସରଙ୍କ ଏପରି କାର୍ଯ୍ୟ ବିହାର ସମେତ ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା ।
କଲେଜ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ପ୍ରଫେସର ଲଲନଙ୍କୁ ଜଣେ ସାଧୁବାଦୀ ଶିକ୍ଷକ ଭାବେ ମଧ୍ୟ ଚିତ୍ରଣ କରାଯାଇଥିଲା । ତେବେ ମାତ୍ର କିଛି ଦନରେ ବ୍ୟବଧାନ ପରେ ନିଜ କଠୋର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି ସମ୍ପୃକ୍ତ ପ୍ରଫେସର । ଏନେଇ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ନୀତୀଶ୍ବର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜ କୁମାର କହିଛନ୍ତି ‘‘ କୌଣସି ଚାପରେ ପ୍ରଫେସର ଲଲନ କ୍ଷମା ମାଗି ନାହାନ୍ତି । ସେ ଗତ ସନ୍ଧ୍ୟାରେ ମୋ ଚାମ୍ବରକୁ ଆସି ଚିଠି ଦାଖଲ କରିବା ସହ ଲିଖିତ ଭାବେ ଉକ୍ତ ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଭାବପ୍ରବଣତାରୁ ଏଭଳି ପଦକ୍ଷେପ ନେଇଥିବା ଓ ଏପରି ଘଟଣା ଆଗକୁ ନଘଟିବା ନେଇ ଯତ୍ନଶୀଳ ହେବା ନେଇ ମଧ୍ୟ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ’’
ଅନ୍ୟପଟେ ପ୍ରଫେସର ଲଲନଙ୍କ ବଦଳି ଆବେଦନ ଉପରେ ପ୍ରତିକ୍ରିୟା ରଖି କୁଳପତି କହିଛନ୍ତି, ଆବେଦନ ଉପରେ ବିଚାର ହେବ । ଆବେଦନ ଯଥାର୍ଥ ବୋଲି କମିଟି ଅନୁଭବ କଲେ ତାଙ୍କୁ ଅନ୍ୟତ୍ର ବଦଳି କରାଯିବା କଥା ଚିନ୍ତା କରାଯିବ । କଲେଜ କମିଟି ତାଙ୍କ ବଦଳି ଆବେଦନ ଉପରେ ଅନୁଧ୍ୟାନ କରୁଥିବା କୁଳପତି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ