ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି (୧୬ ଜୁଲାଇ)ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ଗସ୍ତ ଅବସରରେ ଜଲାଉନ ଜିଲ୍ଲାର ଓରାଇ ତହସିଲ ଅର୍ନ୍ତଗତ କାଇଥେରୀ ଗ୍ରାମରେ ପୂର୍ବାହ୍ନ ୧୧.୩୦ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ( Bundelkhand Expressway) ଉଦଘାଟନ କରିବେ ।
ସାରା ଦେଶରେ ଯୋଗାଯୋଗ ବୃଦ୍ଧି ପାଇଁ ସରକାର ସଡକ ଭିତ୍ତିଭୂମିରେ ଉନ୍ନତି ଆଣୁଛନ୍ତି । ଏହାକୁ ଧ୍ୟାନରେ ରଖି ଗତ ୨୯ ଫେବୃଆରୀ, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏକ୍ସପ୍ରେସୱେର କାର୍ଯ୍ୟ ୨୮ ମାସ ମଧ୍ୟରେ ଶେଷ ହୋଇଛି । ବର୍ତ୍ତମାନ ଏହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ।
ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅଥରିଟି (ୟୁପିଇଆଇଡିଏ)ଙ୍କ ଅଧୀନରେ ପ୍ରାୟ ୧୪ ହଜାର ୮୫୦ କୋଟି ଟଙ୍କା ବ୍ୟୟରେ ୨୯୬ କିମି ଦୀର୍ଘ ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସୱେ ର୍ନିମାଣ କରାଯାଇଛି । ପରେ ଏହା ୬ ଲେନ ପର୍ଯ୍ୟନ୍ତ ବିସ୍ତାର ହୋଇପାରିବ । ଏହା ଚିତ୍ରକୂଟ ଜିଲ୍ଲାର ଭରତକୂପ ନିକଟ ଗୋଣ୍ଡା ଗ୍ରାମରେ NH-୩୫ ଠାରୁ ଏଟାୱା ଜିଲ୍ଲାର କୁଡରେଲ ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ଯେଉଁଠାରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ମିଶ୍ରିତ ହୋଇଛି । ଏହା ସାତଟି ଜିଲ୍ଲା ଦେଇ ଯାଇଛି । ଯେଉଁଥିରେ ରହିଛି ଚିତ୍ରକୂଟ, ବଣ୍ଡା, ମହୋବା, ହମିରପୁର, ଜଲାଉନ, ଅରାୟା ଏବଂ ଏଟାୱା ।
ଏହି ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ କରିବା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ମଧ୍ୟ ଅର୍ଥନୈତିକ ବିକାଶରେ ଏକ ବଡ ଉତ୍ସ ହେବ । ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ । ଏକ୍ସପ୍ରେସୱେ ପାଖରେ ଥିବା ବଣ୍ଡା ଏବଂ ଜଲାଉନ ଜିଲ୍ଲାରେ ଶିଳ୍ପ କରିଡର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ।