ନୂଆଦିଲ୍ଲୀ: ଆସନ୍ତକାଲି(ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫଏମ ରେଡିଓ ଟ୍ରାନ୍ସମିଟରକୁ ଉଦଘାଟନ କରିବେ । ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି ଉଦଘାଟନ କାର୍ଯ୍ୟକ୍ରମ ହେବ । ଉଦଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ ଟ୍ରାନ୍ସମିଟରର କ୍ଷମତା 100W । ଏସବୁ ଏଫଏମ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଦେଶରେ ରେଡିଓ ଯୋଗାଯୋଗ ସୁବିଧା ବଢିବ ।
ଭାରତ ସରକାର ଦେଶରେ ଏଫଏମ ସଂଯୋଗ ବ୍ୟବସ୍ଥା ବୃଦ୍ଧି କରିବାକୁ ବଡ ପଦକ୍ଷେପ ନେଇଛନ୍ତି । ଏହି ୯୧ ନୂଆ ୧୦୦ ଡବ୍ଲୁ (100W) ଏଫଏମ ଟ୍ରାନ୍ସମିଟର ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୮୪ ଜିଲ୍ଲାରେ ସ୍ଥାପନ କରାଯାଇଛି । ଏଥିରେ ଦେଶର ଆକାଂକ୍ଷୀ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନୂଆ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେବ ସେସବୁ ହେଲା ବିହାର, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, କେରଳ, ତେଲଙ୍ଗାନା, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ ।
ଏହାବି ପଢନ୍ତୁ- Same Sex Marriage: ଷଷ୍ଠ ଦିନରେ ଶୁଣାଣି, କେନ୍ଦ୍ର ସରକାର ରଖିଲେ ବଳିଷ୍ଠ ଯୁକ୍ତି
ଏହି ସମ୍ପ୍ରସାରଣ ସହିତ ଆକାଶବାଣୀର ଏଫଏମ ସେବା ଅଧିକ ଦୁଇକୋଟି ଲୋକ ପାଇବେ । ଆଗରୁ ସେମାନଙ୍କୁ ରେଡିଓ ସେବା ମିଳୁ ନଥିଲା । ନୂଆ ଏଫ୍ଏମ୍ ଟ୍ରାନ୍ସମିଟରଗୁଡିକ ଅତିରିକ୍ତ ୩୫ ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିପାରିବେ ।
ଏନେଇ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ରେଡିଓର ଜଣେ ଦୃଢ ସମର୍ଥକ । ଏହି ବେତାର ସେବା ଅଧିକରୁ ଅଧିକ ଲୋକଙ୍କ ପାଖରେ ପଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି । ଗଣମାଧ୍ୟମର ସାମର୍ଥ୍ୟକୁ ଉପଯୋଗ କରି ତାହାର ସେବା ସର୍ବାଧିକ ଜନତାଙ୍କ ପାଖରେ ପହଞ୍ଚାବାକୁ ପ୍ରଧାନମନ୍ତ୍ରୀ ତାଙ୍କ ମାସିକିଆ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ୍” ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ରବିବାର ଦିନ ୧୦୦ତମ ଅଧ୍ୟାୟରେ ପହଞ୍ଚିବ । ଏହି ଐତିହାସିକ କ୍ଷଣର ଠିକ ଦୁଇଦିନ ପୂର୍ବରୁ ଦେଶରେ ନୂଆ ୯୧ଟି ଏଫଏମ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର 100ତମ ସଂସ୍କରଣ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।