ନୂଆଦିଲ୍ଲୀ: ଆଜି ଉଦଘାଟନ ହେବ ବିଶ୍ୱର ଦୀର୍ଘତମ ପୋତ-ଏମଭି ଗଙ୍ଗା ବିଳାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ 10 ଟାରେ ଭିଡିଓ କନଫରେନ୍ସିଂ ଯୋଗେ ଏହା ଉଦଘାଟନ କରିବା ସହ ଟେଣ୍ଟ ସିଟିର ମଧ୍ୟ ଶୁଭାରମ୍ଭ କରିବେ । ଏତତ ବ୍ୟତୀତ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଜଳପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଏହାବି ପଢନ୍ତୁ- Joshimath Hotel Demolition: ଭଙ୍ଗା ହେଲା ଦୁଇ ହୋଟେଲ
ଏମଭି ଗଙ୍ଗା ବିଳାସ- ଏମଭି ଗଙ୍ଗା ବିଳାସ ଉତ୍ତରପ୍ରଦେଶର ବାରାଣାସୀରୁ ଯାତ୍ରା ଆରମ୍ଭ କରିବ । ଏହି ଜାହାଜ ୫୧ ଦିନ ମଧ୍ୟରେ ପ୍ରାୟ ୩୨୦୦ କିଲୋମିଟର ଯାତ୍ରା କରି ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ । ଯାତ୍ରା ବେଳେ ଭାରତ ଏବଂ ବାଂଲାଦେଶର ୨୭ଟି ନଦୀ ପଥ ଅତିକ୍ରମ କରିବ । ସମସ୍ତ ବିଳାସପୂର୍ଣ୍ଣ ସୁବିଧା ସହିତ ଏମଭି ଗଙ୍ଗା ବିଳାସରେ ତିନିଟି ଡେକ ଓ ୩୬ ପର୍ଯ୍ୟଟକ କ୍ଷମତା ବିଶିଷ୍ଟ ୧୮ ଟି ସୁଟ ଅଛି । ଶୁଭାରମ୍ଭ ଯାତ୍ରାରେ ସ୍ୱିଜରଲ୍ୟାଣ୍ଡର ୩୨ ଜଣ ପର୍ଯ୍ୟଟକ ଯାତ୍ରା ପାଇଁ ଚୁକ୍ତି କରିଛନ୍ତି ୫୧ ଦିନିଆ ଏହି ଯାତ୍ରାରେ ୫୦ଟି ପର୍ଯ୍ୟଟନ ସ୍ଥାନ ପରିଦର୍ଶନର ଯୋଜନା ହୋଇଛି । ଯେଉଁଥିରେ ବିଶ୍ୱର ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀ ଘାଟ ଏବଂ ପ୍ରମୁଖ ସହର ରହିଛି । ପୋତ ପର୍ଯ୍ୟଟନକୁ ବୃଦ୍ଧି କରିବା ଓ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏପରି ଏକ ପରିକଳ୍ପନା କରିଛନ୍ତି ।
ବାରଣାସୀ ଟେଣ୍ଟ ସିଟି- ସେହିପରି ବାରଣାସୀରେ ପର୍ଯ୍ୟଟନ ସମ୍ଭାବନାକୁ ବଢାଇବା ପାଇଁ ଗଙ୍ଗା ନଦୀ କୂଳେ ଟେଣ୍ଟ ସିଟିର ପରିକଳ୍ପନା କରାଯାଇଛି । ସହରର ଘାଟ ଗୁଡିକର ଅପରପଟରେ ଏହି ପ୍ରକଳ୍ପ ବିକଶିତ ହୋଇଛି । ଯାହା ବାରଣାସୀକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଟେଣ୍ଟ ସିଟିକୁ ବାରଣାସୀ ବିକାଶ ପ୍ରାଧିକରଣ ଦ୍ୱାରା ପିପିପି ମୋଡରେ ବିକଶିତ କରାଯାଇଛି । ପର୍ଯ୍ୟଟକମାନେ ଆଖପାଖରେ ଅବସ୍ଥିତ ବିଭିନ୍ନ ଘାଟରୁ ଡଙ୍ଗା ଯୋଗେ ଟେଣ୍ଟ ସିଟିରେ ପହଞ୍ଚି ପାରିବେ । ପ୍ରତିବର୍ଷ ଅକ୍ଟୋବରରୁ ଜୁନ ପର୍ଯ୍ୟନ୍ତ ଟେଣ୍ଟ ସିଟି କାର୍ଯ୍ୟକ୍ଷମ ହେବ । ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ତିନିମାସ ପାଇଁ ଏହା ବନ୍ଦ ରହିବ ।
ଅନ୍ୟାନ୍ୟ ପ୍ରକଳ୍ପ- ଏମଭି ଗଙ୍ଗା ବିଳାସକୁ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ହଳଦିଆ ମଲ୍ଟି ମୋଡାଲ ଟର୍ମିନାଲର ଉଦଘାଟନ କରିବେ । ଜଳ ମାର୍ଗ ବିକାଶ ପ୍ରକଳ୍ପ ଅଧୀନରେ ବିକଶିତ ହଳଦିଆ ମଲ୍ଟି ମୋଡାଲ ଟର୍ମିନାଲରେ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ ସାମଗ୍ରୀ ପରିବହନ କ୍ଷମତା ଅଛି । ଏହାସହ ୩୦୦୦ ଡେଡୱେଟ ଟନେଜ ପର୍ଯ୍ୟନ୍ତ ଜାହାଜ ପରିଚାଳନା ପାଇଁ ବର୍ଥଗୁଡିକ ଡିଜାଇନ କରାଯାଇଛି । ଏହାବାଦ ଗାଜିପୁର ଜିଲ୍ଲାର ସୟଦପୁର, ଚୋଚକପୁର, ଜାମାନିଆ ଏବଂ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାର କାନସପୁରରେ ଚାରିଟି ଭାସମାନ କମ୍ୟୁନିଟି ଜେଟିର ଉଦଘାଟନ କରିବେ । ବିହାର ପାଟନାର ଦିଘା, ନାକତା ଡିଆରା, ବାରହ, ପାନପୁର ଓ ସମସ୍ତିପୁର ଜିଲ୍ଲାର ହାସନପୁରରେ ପାଞ୍ଚଟି କମ୍ୟୁନିଟି ଜେଟି ପାଇଁ ଭିତ୍ତି ପ୍ରସ୍ତର ରଖିବେ ।
ଶେଷରେ ପ୍ରଧାନମନ୍ତ୍ରୀ ଗୌହାଟୀର ପାଣ୍ଡୁ ଟର୍ମିନାଲରେ ଜାହାଜ ମରାମତି ସୁବିଧା ଏବଂ ଏକ ଉଚ୍ଚ ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ପାଣ୍ଡୁ ଟର୍ମିନାଲରେ ଥିବା ଜାହାଜ ମରାମତି ସୁବିଧା ବହୁ ମୂଲ୍ୟବାନ ସମୟ ସଞ୍ଚୟ କରିବ । କାରଣ ଏକ ଜାହାଜକୁ କୋଲକାତାରେ ମରାମତି କରି ଆଣିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିଥାଏ । ପାଣ୍ଡୁ ଟର୍ମିନାଲରେ ଜାହାଜ ମରାମତି ସୁବିଧା ହେଲେ ସମୟ ସହ ଅର୍ଥ ସଞ୍ଜୟ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ