ନୂଆଦିଲ୍ଲୀ: କେନ୍ଦ୍ର ବଜେଟ-୨୦୨୩ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯୁଗ୍ମ ସଂସଦକୁ ସମ୍ବୋଧିତ କରିବା ସମୟରେ ଓଡ଼ିଆ କବି କୁନ୍ତଳା କୁମାରୀ ସାବତଙ୍କ ଏକ ପଂକ୍ତିକୁ ଉଦ୍ଧୃତ କରିଛନ୍ତି । ନାରୀ ସଶକ୍ତିକରଣ ଉଦାହରଣ ଦେଇ ଏହି ମହିୟସୀ ମହିଳାଙ୍କୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି । ଲୋକପ୍ରିୟ ଓଡ଼ିଆ କବି ହେଉଛନ୍ତି କୁନ୍ତଳା କୁମାରୀ ସାବତ ଯିଏକି ସ୍ବାଧୀନତା ସଂଗ୍ରାମ ସମୟରେ ନିଜ ଲେଖନୀ ମୁନରେ ସଂଗ୍ରାମୀଙ୍କ ମନରେ ଜାଗରଣ ଭରୁଥିଲେ । ଓଡ଼ିଶାର ଏହି ସୁନାମଧନ୍ୟ ଲେଖିକାଙ୍କ କବିତାର ଏକ ପଂକ୍ତି "ବସୁନ୍ଧରା ତଳେ ଭାରତର ମଣି ନୁହେଁ ହୀନ ନୁହେଁ ଦିନ, ଅମର କୀରତି କୋଟି ଯୁଗେ କେବେ ଜଗତ ନୁହେଁ ବଳିନ" କୁ ଉଦ୍ଧୃତ କରିବା ସହ ଭାରତ ସରକାରଙ୍କ ମହିଳା ସଶକ୍ତୀକରଣ ଦିଗରେ ଲଗାତାର କରୁଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଭାରତୀୟ ମହିଳା ଦୁର୍ବଳା ନୁହଁନ୍ତି, ବିଶ୍ବସ୍ତରରେ କୌଣସି ନାରୀଙ୍କଠୁ କମ ନୁହେଁ ବୋଲି ରାଷ୍ଟ୍ରପତି କୁନ୍ତଳା କୁମାରୀ ସାବତଙ୍କ ପଂକ୍ତି ଗାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସଂସଦରେ କୁନ୍ତଳା କୁମାରୀଙ୍କୁ ସ୍ମରଣ କରିବା ପରେ ଦେଶବାସୀ ଏହି ମହିୟସୀ ମହିଳାଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଓଡ଼ିଶାର ଗୌରବ ତଥା ନାରୀଶକ୍ତିର ବଳିଷ୍ଠ ଉଦାହରଣ ପାଲଟିଥିବା ସ୍ବାଧୀନତା ସଂଗ୍ରାମୀ ତଥା ସୁନାମଧନ୍ୟ ଲେଖିକା କୁନ୍ତଳା କୁମାରୀ ସାବତଙ୍କ ସମ୍ପର୍କରେ ।
କୁନ୍ତଳା କୁମାରୀ ସାବତଙ୍କ ସମ୍ପର୍କରେ.. :- କୁନ୍ତଳା କୁମାରୀ ସାବତ ନିଜ କବିତା ମାଧ୍ୟମରେ ବେଶ ସୁନାମ ଅର୍ଜନ କରିଥିଲେ । ମହିଳାମାନେ ମଧ୍ୟ ପୁରୁଷଙ୍କ ସହିତ ସମାନ ବୋଲି ସେ କହିଆସୁଥିଲେ । ସ୍ବାଧୀନତା ସଂଗ୍ରାମ ଜାରି ରହିଥିବା ବେଳେ କୁନ୍ତଳା ଅନେକ କବିତା ଲେଖିଥିଲେ । ବ୍ରିଟିଶ ଅଧୀନରେ ଦେଶ ଶାସିତ ହେଉଥିବା ବେଳେ ସେ କବିତା ଲେଖି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମହିଳାମାନେ ସବୁ କାର୍ଯ୍ୟ କରିବାକୁ ସକ୍ଷମ ବୋଲି ସେ ନିଜ କାର୍ଯ୍ୟକଳାପ ମାଧ୍ୟମରେ ପ୍ରମାଣିତ କରିଥିଲେ । କୁନ୍ତଳା କୁମାରୀ ସାବତ ନା ଯେ କେବଳ ଜଣେ କବି ଥିଲେ ସେ ଯେଉଁ କାର୍ଯ୍ୟ କରୁଥିଲେ ସେଥିରେ ସଫଳତା ସେ ହାସଲ କରୁଥିଲେ ।
ସେ ଏକାଧାରରେ ଜଣେ ଭୌତିକ ବୈଜ୍ଞାନିକ, ଲେଖିକା, ସମ୍ପାଦିକା, ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, ନାରୀ ନେତ୍ରୀ ଓ ସ୍ବାଧୀନତା ସଂଗ୍ରାମର ଅନେକ ଆନ୍ଦୋଳନର ନେତୃତ୍ବ ମଧ୍ୟ ନେଇଥିଲେ । ସେ ୧୯୨୫ ମସିହାରେ ଉତ୍କଳ ଭାରତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ବହୁ କମ ବୟସରୁ ସେ ଏହି ସଫଳତା ହାସଲ କରିଥିଲେ । ସେ ନିଜ କବିତା ଓ ଲେଖା ମାଧ୍ୟମରେ ବହୁ ମହିଳା ଓ ଯୁବଗୋଷ୍ଠୀଙ୍କ ସ୍ବର ପାଲଟିଥିଲେ । ତାଙ୍କ ଲେଖା ପଢି ଅନେକ ଯୁବଗୋଷ୍ଠୀଙ୍କ ମଧ୍ୟରେ ଜାତୀୟ ଚେତନା ଜାଗ୍ରତ ହେଉଥିଲା ଏବଂ ଯୁବଗୋଷ୍ଠୀ ସ୍ବାଧୀନତା ସଂଗ୍ରାମରେ ନିଜକୁ ସାମିଲ କରୁଥିଲେ ।
ଖାଲି ଯୁବଗୋଷ୍ଠୀ ନୁହେଁ ତାଙ୍କ ଲେଖା ପଢି ଦେଶର ବଡ଼ ବଡ଼ ନେତା ଯେପରିକି ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ପ୍ରମୁଖ ପ୍ରଭାବିତ ହେଉଥିଲେ । କୁନ୍ତଳା ନିଜ ଲେଖା ମାଧ୍ୟମରେ ଓଡ଼ିଶାର ଅନେକ ମହିଳାଙ୍କୁ ଜାଗୃତ କରି ସ୍ବାଧୀନତା ସଂଗ୍ରାମରେ ସାମିଲ କରାଇଥିଲେ । ଏହାସହ ସମାଜରେ ପଛୁଆ ବର୍ଗଙ୍କ ସମସ୍ୟାକୁ ମଧ୍ୟ ସେ ନିଜ କବିତାରେ ସ୍ଥାନ ଦେଉଥିଲେ । ଏହାସହ ଅନ୍ଧବିଶ୍ବାସ ଓ ସମାନତା ବିରୋଧରେ ସେ ସର୍ବଦା ସ୍ବର ଉତ୍ତୋଳନ କରୁଥିଲେ । ନିଜ ପ୍ରତିଭା ମାଧ୍ୟମରେ ସେ ସର୍ବଦା ସମାଜର ହିତରେ କାର୍ଯ୍ୟ କରିଆସୁଥିଲେ ।
କୁନ୍ତଳା କୁମାରୀଙ୍କ ବାଲ୍ୟକାଳ:- ଛତିଶଗଡ଼ର ଜଗଦଲପୁରଠାରେ ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଏଠାରେ ତାଙ୍କ ପିତା ଡାନିଏଲ ଜଣେ ଭୌତିକ ବିଜ୍ଞାନୀ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ତାଙ୍କ ପରିବାର ବର୍ମାକୁ କିଛି ଦିନ ଲାଗି ସ୍ଥାନାନ୍ତର ହୋଇଥିଲା । ମାତ୍ର ପରିବାରରେ କୌଣସି କାରଣ ଲାଗି ସମସ୍ୟା ଉପୁଜିବା ପରେ ମାଆଙ୍କ ସହ କୁନ୍ତଳା ଓଡ଼ିଶା ଫେରିଥିଲେ । ଏହାପରେ ସେ ଖୋର୍ଦ୍ଧା ଓ ପରେ କଟକରେ ରହି ଅଧ୍ୟୟନ ଜାରି ରଖିଥିଲେ । ସେ ରେଭେନ୍ସା ବାଳିକା ବିଦ୍ୟାଳୟରେ ନିଜର ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ସେ କଟକରେ ମେଡିକାଲ ପାଠ ପଢିଥିଲେ । ଏହାପରେ ସେ ଭୌତିକ ବିଜ୍ଞାନୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର ଲେଖା ପ୍ରତି ଥିବା ତାଙ୍କ ଭଲ ପାଇବା ଜାରି ରହିଥିଲା । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରଭାବିତ ହେବା ପରେ ଓଡ଼ିଆ, ଇଂରାଜୀ, ବଙ୍ଗାଳୀ ଓ ହିନ୍ଦୀ ଭାଷାରେ କବିତା ଲେଖୁଥିଲେ ।