ରାୟପୁର: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବା ପରି ସ୍ଥିତି ସୃଷ୍ଟି ହେଲାଣି । ନିକଟରେ ରାଜସ୍ଥାନର କୋଟାର ଏକାଧିକ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଏହାର ସର୍ବଶେଷ ଉଦାହରଣ । ଏପରି ସ୍ଥିତି ଦେଶ ପାଇଁ ଏକ ଭୟାନକ ସ୍ଥିତି ସୃଷ୍ଟି କଲାଣି । ଆଜି ଏହି ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି ।
ଆଜି(ଗୁରୁବାର) ଛତିଶଗଡ଼ ରାଜଧାନୀ ରାୟପୁରରେ ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ୱବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଷ୍ଟ୍ରପତି ମୁର୍ମୁ ନିଜ ସମ୍ବୋଧନରେ ଏହି ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି । ଛାତ୍ରମାନଙ୍କୁ ଜୀବନରେ କେବେ ନିରାଶ ନହେବାକୁ ପରାମର୍ଶ ଦେଇଛନ୍ତି । ଧୈର୍ଯ୍ୟ ଏବଂ ପରିଶ୍ରମ ସହିତ ଆଗ୍ରହ କ୍ଷେତ୍ରରେ ଚେଷ୍ଟା ଜାରି ରଖିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି ।
ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି,"ଆମ ଦେଶ କ୍ରମାଗତ ନୂଆ ସଫଳତାର ଅଧିକାରୀ ହେବାରେ ଲାଗିଛି । ସଫଳତାର ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ଏବେ ଚନ୍ଦ୍ରରେ ମଧ୍ୟ ତ୍ରିରଙ୍ଗା ଉଡିଲାଣି । ବିଶ୍ବସ୍ତରୀୟ କ୍ରୀଡ଼ାରେ ଆମ କ୍ରୀଡାବିତ୍ମାନେ ନୂଆ ରେକର୍ଡ କରୁଛନ୍ତି । ହେଲେ ଏପରି ସ୍ଥିତିରେ ଛାତ୍ର ଆତ୍ମହତ୍ୟା ଏକ ଗମ୍ଭୀର ବଷୟ । ନିଟ୍ ପରୀକ୍ଷାରେ ବିଫଳ ହେବା ପରେ ଦୁଇ ଛାତ୍ର ଏପରି ଚରମ ନିଷ୍ପତ୍ତି ନେଲେ । ଏହା ଆଦୌ ଉଚିତ ନୁହେଁ । ବିଦ୍ୟାର୍ଥୀ ଜୀବନରେ ସଫଳତା ବିଫଳତା ଲାଗି ରହିଥାଏ, କିନ୍ତୁ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିବା ନିହାତି ଆବଶ୍ୟକ ।"
ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇ କହିଥିଲେ ଯେ, ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ସହିତ ନିଜ ଆଗ୍ରହ କ୍ଷେତ୍ରରେ ଚେଷ୍ଟା ଜାରି ରଖିବାକୁ ହେବ । ଏହା ସହିତ କୌଣସି ପରିସ୍ଥିତିରେ ଜୀବନରେ ନିରାଶ ନହେବା ମଧ୍ୟ ଉଚିତ । ରାଷ୍ଟ୍ରପତି କହିଛନ୍ତି,"ପିଲାମାନଙ୍କ ଉପରେ ପ୍ରତିଯୋଗିତାର ଚାପ ନିଶ୍ଚୟ ରହିଛି, କିନ୍ତୁ ସେମାନଙ୍କ କ୍ୟାରିୟର ଯେତିକି ଗୁରୁତ୍ୱପୂର୍ଣ୍ଣ, ଜୀବନର ପ୍ରତ୍ୟେକ ଆହ୍ବାନର ସମ୍ମୁଖୀନ ହେବାରେ ସଫଳ ହେବା ମଧ୍ୟ ସେମାନଙ୍କ ପାଇଁ ସେତିକି ଗୁରୁତ୍ବପୂର୍ଣ୍ଣ । ପ୍ରତ୍ୟେକ ଶିଶୁଙ୍କର ନିଜର ଅନନ୍ୟ ପ୍ରତିଭା ଥାଏ । ଆପଣଙ୍କର କେଉଁ କ୍ଷେତ୍ରରେ ଆଗ୍ରହ ରହିଛି, ତାହା ଜାଣିବ ଆବଶ୍ୟକ । ଏହି ଦିଗରେ ନିରନ୍ତର କାର୍ଯ୍ୟ ଜାରି ରଖିଲେ ଆମେ ଆଗକୁ ବଢ଼ି ପାରିବା । ବର୍ତ୍ତମାନର ଯୁଗ ଏକ ବୈଜ୍ଞାନିକ ଯୁଗ । ଆଜିର ପିଲାମାନେ ବହୁତ ତୀକ୍ଷ୍ଣ କିନ୍ତୁ ଧୈର୍ଯ୍ୟର ଅଭାବ ରହୁଛି । ଧୈର୍ଯ୍ୟ ରଖି ସଫଳତା ପଥରେ ପରିଶ୍ରମ ଜାରି ରଖିଲେ ସବୁ ସମ୍ଭବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ