ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା କୋଇଲା ଓ ଶକ୍ତି ସଙ୍କଟ ନେଇ ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ଶାହଙ୍କ ସରକାରୀ ବାସଭବନରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଶକ୍ତିମନ୍ତ୍ରୀ ଆର.କେ. ସିଂ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ରହିଥିଲେ ।
ଦେଶର ବିଭିନ୍ନ ରାଜ୍ୟରେ ଶକ୍ତି ଓ କୋଇଲା ସଙ୍କଟ ଲାଗି ରହିଛି । ଦିଲ୍ଲୀର ସରକାର ସହରବାସୀଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି କରୁଥିବା କେନ୍ଦ୍ର ସରକାର କହିଛନ୍ତି । ତେବେ ଏହାରି ମଧ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ସାମ୍ନାକୁ ଆସିଛି । ଗତ 2ଦିନ ତଳେ କର୍ଣ୍ଣାଟକ ଗସ୍ତରେ ଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଦେଶରେ ଆଦୌ କୋଇଲା ସଙ୍କଟ ନଥିବା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଘଟ କରାଯାଉଥିବା କହିଥିଲେ ।
ତେବେ ଶକ୍ତି ମନ୍ତ୍ରଣାଳୟର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ, ଏହି ସଙ୍କଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଆଜିର ବୈଠକ କେବଳ ଶକ୍ତି ସଙ୍କଟ ସମ୍ପର୍କିତ ନୁହେଁ ବୋଲି କହିଛନ୍ତି । ଏହାପୂର୍ବରୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ମଧ୍ୟ ରାଜ୍ୟ ସରକାରଙ୍କ କିଛି ପ୍ରତିନିଧିଙ୍କ ସହ ଏହି ପ୍ରସଙ୍ଗରେ ବୈଠକ ମଧ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ