ରାୟପୁର: କୋଇଲା ଦୁର୍ନୀତି ମାମଲାରେ ଛତିଶଗଡରେ ଏକାଧିକ ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି । ରାଜଧାନୀ ରାୟପୁରରୁ ନେଇ ଜାତୀୟ ରାଜଧାନୀ ଦିିଲ୍ଲୀ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଯିବା ଆରମ୍ଭ କରିଛି । ଆଜି ଏହି ପ୍ରସଙ୍ଗରେ ପ୍ରେସମିଟ କରି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।
ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି, ‘‘ସମସ୍ତେ ଜାଣିଥିଲେ ଯେ ଦଳୀୟ ଅଧିବେଶନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଏହି ଚଢାଉ ହେବ । ଆମେ ମଧ୍ୟ ସେହି ପ୍ରସ୍ତୁତିରେ ମଧ୍ୟ ଥିଲୁ । ଭାରତୀୟ ଜନତା ପାର୍ଟି ସରକାର କିମ୍ବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଯେତେ ଚେଷ୍ଟା କଲେ ମଧ୍ୟ, ଆମେ ବିଫଳ ହେବୁ ନାହିଁ, ବରଂ ଆମେ ଅଧିକ ସଫଳତା ପାଇବୁ । ଆମେ ଏଥିରେ ଆଦୌ ଭୟଭୀତ ନୁହଁ ।’’ ଏହି ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସର ସଭାପତି ମୋହନ ମାର୍କମ ଓ ଅନ୍ୟ କ୍ୟାବିନେଟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।
ସେହିପରି ପ୍ରଦେଶ କଂଗ୍ରେସ ସଭାପତି ମୋହନ ମାର୍କାମ କହିଛନ୍ତି ଯେ "ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ କ୍ରମାଗତ ସମସ୍ୟାରେ ପକାଇବାରେ ପ୍ରୟାସ ଜାରି ରହିଛି । କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ମୋଦି ସରକାର କ୍ରମାଗତ ଭାବରେ ଏପରି ପ୍ରୟାସ ଜାରି ରଖିଛି । ଏହାପୂର୍ବରୁ ଦଳର ଜାତୀୟ ସମ୍ମିଳନୀରେ ଏହି ପ୍ରସଙ୍ଗ ଆଲୋଚନା ମଧ୍ୟ ହୋଇସାରିଛି । ’’
ଛତିଶଗଡରେ କୋଇଲା ଦୁର୍ନୀତି ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଚଢାଉ କରିଛି । ଅନ୍ୟପଟେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି, ଏମାନେ ଗତ 4ବର୍ଷ ହେବ କୋଇଲା ଦୁର୍ନୀତିରେ ସାମିଲ ରହିଛନ୍ତି । ଏହା ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ହେବ ନାହିଁ, କ’ଣ ଭାରତ ରତ୍ନ ପ୍ରଦାନ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ