କୋଲକାତା: ପଶ୍ଚମବଙ୍ଗ ବାରୁଇପୁରରେ ପୂର୍ବତନ ନୌସେନା ଅଧିକାରୀଙ୍କ ହତ୍ୟାକାଣ୍ଡର ଖିଅ ଖୋଜୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା କରାଯାଇଥିବା ତଦନ୍ତରେ ପୋଲିସକୁ ଅନେକ ତଥ୍ୟ ମିଳିଛି । ପୂର୍ବତନ ନୌସେନା ଅଧିକାରୀ ଉଜ୍ବଳ ଚକ୍ରବର୍ତ୍ତୀଙ୍କୁ ହତ୍ୟା କରିବା ପରେ ପତ୍ନୀ ଓ ପୁଅ ୬ ଖଣ୍ଡ କରିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ଉଭୟ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ତଦନ୍ତ ବେଳେ ଜଣାପଡ଼ିଛି ଯେ, ନୌସେନା ଅଧିକାରୀ ନିଜ ପୁଅକୁ ମାର୍ସଲ୍ ଆର୍ଟ୍ସ ଶିଖାଉଥିଲେ । ଆତ୍ମରକ୍ଷା ପାଇଁ ସେ ପୁଅକୁ ଏହା ଶିଖାଇ ଆସୁଥିଲେ । କିନ୍ତୁ ଏହାଫରେ ତାଙ୍କ ପୁଅ ଜୋଏ ସହପାଠୀଙ୍କ ସହ ଝଗଡ଼ା କରୁଥିଲା । ସ୍ବଭାବରେ ଜୋଏ ଜଣେ କ୍ଷଣକ୍ରୋଧୀ(short temper) ଯୁବକ ରହି ଆସିଛି । ଏହାକୁ ଉଭୟ ଉଜ୍ଜଳ ଚକ୍ରବର୍ତ୍ତୀ ଓ ତାଙ୍କ ପତ୍ନୀ ସମର୍ଥନ କରି ଆସୁଥିଲେ । ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଭିଆଇଛି ଜୋଏ । ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡରେ ଅନୁପ୍ରାଣିତ ହୋଇ ନିଜ ବାପାକୁ ଜୋଏ ହତ୍ୟା କିରଥିବା ସାହି ପଡ଼ିଶା ବୟାନ ଦେଇଛନ୍ତି । ଜୋଏ ମଧ୍ୟ ଖୋଦ୍ ଏହାକୁ ପୋଲିସ ଆଗରେ ସ୍ବୀକାର କରିଛି ।
ତଦନ୍ତ ବେଳେ ଜଣା ପଡ଼ିଛି ଜୋଏ ଚକ୍ରବର୍ତ୍ତୀ କାଠକାମରେ ପଲିଟେକ୍ନିକ୍ ପଢ଼ୁଛନ୍ତି । ଏହି ହତ୍ୟାକାଣ୍ଡରେ ଆଉ କେହି ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ପୂର୍ବ ଯୋଜନା ସହ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । କିନ୍ତୁ କେବଳ ମାଆ ପୁଅ ମିଶି ମୃତଦେହ ଖଣ୍ଡଖଣ୍ଡ କରିଛନ୍ତି ତାହାକୁ ହଜମ କରି ପାରୁନି ପୋଲିସ । ସେପଟେ ଜୋଏର କେତେକ ବନ୍ଧୁଙ୍କୁ ପଚରାଉଚରା କରିବାକୁ ଯୋଜନା କରିଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହତ୍ୟାକାଣ୍ଡରେ ଏକ କରତର ବ୍ୟବହାର ହୋଇଛି । ବର୍ତ୍ତମାନ ସ୍ଥିତିରେ ଉଜ୍ବଳ ଚକ୍ରବର୍ତ୍ତୀଙ୍କ ଘରେ ଜୋଏ ଚକ୍ରବର୍ତ୍ତୀଙ୍କ ଛଡ଼ା କରତର ସଠିକ ବ୍ୟବହାର କେହି ଜାଣିନଥିବେ । ତେଣୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ପୋଲିସ ଜଣେ ମନୋବୈଜ୍ଞାନିକଙ୍କ ସାହାରା ନେବାକୁ ଚିନ୍ତା କରୁଛି ।
ଘଟଣା ନଭେମ୍ବର ୧୮ ତାରିଖରେ ପଦାକୁ ଆସିଥିଲା । ବାରୁଇପୁର ଅଞ୍ଚଳରେ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ପୁଅ ପତ୍ନୀଙ୍କୁ ଗିରଫ କରିଥିଲା ପୋଲିସ । ଗଳା ଚିପି ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୃତଦେହର ୬ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇଥିଲେ । ତେବେ ନଭେମ୍ବର ୧୨ ତାରିଖରେ ପୂର୍ବତନ ନୌସେନା ଅଧିକାରୀ ଉଜ୍ବଳ ଚକ୍ରବର୍ତ୍ତୀଙ୍କୁ ହତ୍ୟା କରାଯାଇଥିଲା ।